ପ୍ରକୃତି ସ୍ବଭାବ
ପ୍ରକୃତି ସ୍ବଭାବ
ପ୍ରକୃତିର ବଶ ଏ ମୂଢ ମନୁଷ୍ଯ
ପ୍ରକୃତି ଛାଡି ନପାରେ,
ଯେଉଁ ପ୍ରକୃତିରେ ଜନ୍ମ ହୋଇଥାଏ
ସେଇ ପ୍ରକୃତିରେ ମରେ ।
ମୁହଁରେ ଆଦର ଚଦର ଘୋଡେଇ
ଯେତେ କହୁଥିଲେ କଥା,
ଭିତରଟା ଯଦି ନିର୍ମଳ ନଥାଏ
ଘାରୁଥାଏ ପରଚିନ୍ତା ।
ସମ ଭାବନାର ପ୍ରକୃତି ଯାହାର
ହେଉ ପଛେ ହତାଦର,
ମୁଖେ ସ୍ମିତ ହାସ୍ଯ ମଧୁବୋଳା ଭାଷ୍ଯ
ସଭିଙ୍କୁ କରେ ଆଦର ।
କୁଟିଳ ସ୍ବଭାବ ଯା'ର ମନୋଭାବ
କୁଟିଳ ବୁଦ୍ଧି ପ୍ରୟୋଗେ,
ମନ୍ଦ ଚିନ୍ତା କରେ ଅନ୍ଯର ଖୁସିରେ
ଭାଷା କୁହେ ଅନୁରାଗେ ।
ନିଜର ବଡ଼ିମା ଦେଖାଉଥାଏ ଯେ
ଅପରକୁ ଛୋଟ ମଣି
ତୃପ୍ତ ମନରେ ବିଷ ଭରା ଥାଏ,
ତାହାକେହି ନ ପାରନ୍ତି ଜାଣି ।
କଥା କଥାକରେ ମର୍ମଭେଦୀ ବାଣ
ମଧୁର କଥାରେ ମାରେ,
ସେ ପ୍ରକୃତିର ଲୋକ ବଡ ମନ୍ଦ ବୁଦ୍ଧି
ଅନ୍ଯକୁ ସହି ନପାରେ ।
ନ ଡାକିଲେ ଆସେ ବିପଦ ସମୟେ
ପରକୁ ସାହାଯ୍ଯ ପାଇଁ,
ସେ ପରି ମନୁଷ୍ଯ ପର ଉପକାରୀ
ଜଗତରେ କେହି ନାହିଁ ।
ସ୍ବଭାବ ସ୍ପନ୍ଦନ ମନରେ ଗୁଞ୍ଜନ
ଅନୁରୂପ କର୍ମ କରେ,
ଯେଉଁପରି କର୍ମ ସେହିପରି ଫଳ
ନିଶ୍ଚୟ ସେ ଭୋଗ କରେ ।