ମାଆ
ମାଆ
ଜନମ ଦେଇଛି ଯିଏ ଆମକୁ
ଅମୃତ ଦେଇଛି ଚିରି ତା ବୁକୁ ।
ଚାଲି ଶିଖାଇଛି ହାତକୁ ଧରି
ଏ ସଂସାରେ ହେବ କିଏ ତା ସରି ।
ସେଇ ଆମରି ମା
ଅମୃତ ଠାରୁ ମଧୁର ତାର ନାଁ ।।୧।।
ସହୁଥାଏ ଆମ ଅଳି ଅର୍ଦ୍ଦଳି
ସ୍ନେହ ପ୍ରେମରେ ସେ ଆମକୁ ପାଳି ।
ଆମକୁ ଖୁଆଇ ଉପାସେ ରହେ
ତା କୋଳରେ ଜହ୍ନ ମାମୁଁ ଦେଖାଏ ।
ସ୍ନେହ ଡୋରେ ବାନ୍ଧେ
ସାମାନ୍ୟ ଅନ୍ତରେ ତା ହୃଦେ କାନ୍ଦେ ।।୨।।
କଣ୍ଟା ଫୁଟିଗଲେ ଆମ ପାଦରେ
ତୀର ବିଦ୍ଧ ହୁଏ ତାର ହୃଦରେ ।
ଗାଳି ମନ୍ଦ ନିଜ ମୁଣ୍ଡକୁ ନିଏ
ତା ଆଶିଷେ ଦୁଃଖ ଘୁଞ୍ଚାଇ ଦିଏ ।
ପଣତେ ଘୋଡାଏ
ଶରୀରେ ନପଡେ ରେଣୁକା ଟିଏ ।।୩।।
ଘର ଛାଡ଼ି ଯଦି ଦୂରକୁ ଯାଉ
ଠାକୁର ଉପରେ ସାଧଇ ଦାଉ ।
ଯିବା ଆସିବାର ସବୁ କୁଶଳ
ଠାକୁର ବୁଝିବେ ହେବ ମଙ୍ଗଳ ।
ଠାକୁରେ ଜାଣନ୍ତି
ମାତୃତ୍ଵ ବାତ୍ସଲ୍ୟ ମମତା ପ୍ରୀତି ।।୪।।
କେବେ ଯଦି ଆମେ ଜ୍ୱର ରେ ପଡି
ଖାଇବା ପିଇବା ସବୁକୁ ଛାଡି ।
କେତେ ମାନସିକ ଉପାସ କରେ
ସେବା ସୁଶ୍ରୁଷାରେ ତା ଦିନ ସରେ ।
ମାଆର ମମତା
ତୁଟିଯାଏ ବ୍ୟାଧି ସକଳ ବ୍ୟଥା ।।୫।।
ଧନ ଦଉଲତେ ନଥାଇ ଆଶ
ଜୀବନ ଥାଏ ତା ସନ୍ତାନ ପାଶ ।
ମମତା ମନ୍ଦିରେ ଜୀବନ୍ତ ଦେବୀ
କାଳ କଟୁ ମୋର ତା ପାଦ ସେବି ।
ତା ପରି କେ ନାହିଁ
ଆଦ୍ୟ ପୂଜ୍ୟା ଗତି ମୁକ୍ତି ଅଟଇ ।।୬।।
