ମାତୃଭାଷା- ସାହିତ୍ୟ
ମାତୃଭାଷା- ସାହିତ୍ୟ
କୋଇଲି ଗାଉଛି କୁହୁକୁହୁ ତାନେ ସିଏ ତା'ର ମାତୃଭାଷା,
କାଉ ରାବଦିଏ କାଆକାଆ କରି ସିଏ ବି ତା' ନିଜଭାଷା |
ମୟୂରର କେକାରାବ ଜଙ୍ଗଲରେ ସଭିଙ୍କୁ ସତର୍କ କରେ,
ବାଘ ସିଂହ ହାତୀ ଛାଡୁଥା'ନ୍ତି ରଡ଼ି ନିଜ ନିଜର ଭାଷାରେ |
କୁଳୁକୁଳୁହେଇ ଝରଣା ବହୁଛି ଗୀତ ଗାଇଗାଇ ନାଚେ,
ନିଜର ଭାଷାକୁ ଭୁଲିନାହିଁ ବୋଲି ଆନନ୍ଦରେ ଦିନବିତେ |
ନଦୀ-ସାଗରର ନିଜଭାଷା ଅଛି ସେଥିରେ ପାଆନ୍ତି ସୁଖ,
କୁଅ-ପୋଖରୀର ବନ୍ଦୀର ଜୀବନ ହେଇଯାଇଛନ୍ତି ମୁକ |
ପଞ୍ଜୁରୀ ଭିତରେ ବନ୍ଦୀହେଇ ଶୁଆ ମଣିଷର ଭାଷା ବୋଲେ,
କୁକୁର ବିଚାର ବନ୍ଧାହେଇ ଘରେ ମଣିଷ ଭାଷାରେ ଚାଲେ |
ସ୍ୱାଭିମାନ ଛାଡ଼ି ବନ୍ଦୀହେବା ପାଇଁ ପସନ୍ଦ ରହିଛି ଯା'ର,
ନିଜର ଭାଷାଟି ଥାଉଥାଉ ସିଏ ପରକୁ କରେ ଆଦର |
ନିଜ ମାତୃଭାଷା ସବୁଠୁ ସୁନ୍ଦର ହୃଦୟରେ ରହିଥାଏ,
ଅନ୍ୟଭାଷା ଯେତେ ଶିଖିଲେ ବଢ଼ିଆ ନୂଆକଥା ଜାଣିହୁଏ |
ମାଆ ମାତୃଭୂମି ମାତୃଭାଷା ତିନି ଗଢ଼ିଛନ୍ତି ତନୁ-ମନ,
ତାଙ୍କରି ଚରଣେ ସଦା ପ୍ରଣିପାତ କରୁଥିବା ସବୁଦିନ |
ସାହିତ୍ୟ ଦେଖାଏ ସମାଜର ଚିତ୍ର ମଣିଷର ଅନ୍ତରଙ୍ଗ,
କଳ୍ପନା ସହିତ ବାସ୍ତବ ବି ମିଶେ କରନ୍ତି ସତ୍ୟର ସଙ୍ଗ |
ଅତିରଞ୍ଜିତ ଉଦ୍ ଭଟ କଥା ଗ୍ରହଣୀୟ ହୁଏନାହିଁ,
ସତ୍ୟ ସହିତ ମନୋରଞ୍ଜନ ସାହିତ୍ୟରେ ଥିବରହି |
ଜୀବନର ମୂଲ୍ୟ ବାସ୍ତବ ସତ୍ୟକୁ କରେ ସିଏ ଉନ୍ମୋଚନ,
ଚିନ୍ତା ଜଗତରୁ ମୁକ୍ତିଦେଇ କରେ ଆଦର୍ଶର ଜୟଗାନ |
ସାହିତ୍ୟ ହେଉଛି ଆନନ୍ଦ ପ୍ରାପ୍ତିର ଅତିପ୍ରିୟ ସହଚର,
ରୁଚିପୂର୍ଣ୍ଣ ହେଲେ ହୃଦୟ କନ୍ଦରେ ଫିଟାଇ ଅମୃତ ଝର |
ସାହିତ୍ୟ ହେଉଛି ବିଜ୍ଞାନର ସ୍ରଷ୍ଟା ଅତୀତର ଇସ୍ତାହାର,
ରସିକ ପାଠକ ପାଇଁ ହୋଇଯାଏ ନବରସ ଗନ୍ତାଘର |
ସାହିତ୍ୟର ରୂପ ଅନେକ ହେଲେ ବି ସଭିଙ୍କ ଉଦ୍ଦେଶ୍ୟ ଏକ,
ହାସ୍ୟ-ବ୍ୟଙ୍ଗ କାବ୍ୟ କବିତା ଗଳ୍ପରେ ରହିବ ସୁଖର ଛୁଙ୍କ |
