ଓଡ଼ିଆ ଜାତିର ଅସ୍ମିତା
ଓଡ଼ିଆ ଜାତିର ଅସ୍ମିତା


ଚନ୍ଦନେଶ୍ୱରରୁ ଚନ୍ଦାହାଣ୍ଡି ପୁଣି ଟାଙ୍ଗିରୁ ପଟାଙ୍ଗି ଯାଏ,
ଗୋଟିଏ ମାଆର ଚାରିକୋଟି ଲୋକ ତୁଣ୍ଡରେ ଓଡ଼ିଆ ଥାଏ |
କନିକାରୁ ଶୁଭେ ବିନିକା ପର୍ଯ୍ୟନ୍ତ ଓଡ଼ିଶା ମାଟିର ଜୟ,
ପୁରୀରୁ ପାରଳା କାଳିଆ ଭରସା କାହାକୁ ନ ଥାଏ ଭୟ |
ଦୁଇଟା ଜାଗାରେ ସୁନାବେଡ଼ା ନାମ କଟକ ବିଷମ କଟକ,
ହୀରାକୁଦଠାରେ ହୀରା ମିଳେ ପୁଣି କଳାହାଣ୍ଡିରୁ ମାଣିକ |
କିଏ ଦେଲା ଆମ ନଦ ନଦୀ ନାମ ଲାଗେ ତାହା ମନ୍ତ୍ର ପରି,
ଇନ୍ଦ୍ରାବତୀ ଋଷିକୂଲ୍ୟା ମହାନଦୀ ଅଛି ମିଠା ନାମ ଧରି |
ପାହାଡ଼ ପର୍ବତ ଯେମିତି ସୁନ୍ଦର ସେମିତି ତାଙ୍କର ନାମ,
ଦେଵମାଳି ମେଘାସନ ରତ୍ନଗିରି ନାମ ଅନୁସ
ାରେ କାମ |
ଗାଆଁ ନାମ ସବୁ ଅସ୍ତରଙ୍ଗ ପୁଣି ନବରଙ୍ଗପୁର ହୁଏ,
ଏତେ ଅର୍ଥପୂର୍ଣ୍ଣ ମିଠା ମିଠା ନାମ ଭାବିଚିନ୍ତି ଦେଲା କିଏ ?
ତେଷଠି ପ୍ରଜାତି ଆଦିବାସୀ ଭାଇ ଏଇ ଓଡ଼ିଶାର ପୁଅ,
ସତୁରୀଟି ଉପ-ଭାଷା ରହିଅଛି ସେ ସବୁ ଆମର ପ୍ରିୟ |
ପଖାଳ ଭାତକୁ ପୋଡ଼ା ବାଇଗଣ ତତଲା ଭାତକୁ ଘିଅ,
ଶରଧା ମନରେ ରାନ୍ଧନ୍ତି ଡାଲମା ଓଡ଼ିଆ ଘରର ଝିଅ |
ବାରମାସେ ତେର ପରବ ପାଳନ୍ତି ଓଡ଼ିଆ ଘରର ବୋହୁ,
ମାଣବସା ଗୁରୁବାର ଦିନ ଘରେ ଘରେ ହୁଳହୁଳି ଦେଉ |
ଜଗନ୍ନାଥ ସିନା ଜାତୀୟ ଦେବତା ଶ୍ରୀକ୍ଷେତ୍ର ଜାଗାର ନାମ ,
ଗଜପତି ଏଠି ପ୍ରଧାନ ସେବକ ଖ୍ୟାତ ଜଗନ୍ନାଥ ଧାମ |
ନିଜେ ନାରାୟଣ ରଥଯାତ୍ରା କରି ବୁଲନ୍ତି ଭକତ ମେଳେ,
ମାନବୀୟ ଲୀଳା କରନ୍ତି ଶ୍ରୀହରି ନାନା ରୂପେ ସବୁବେଳେ,
ସମ୍ବଲପୁର ତ ରାଜ୍ୟର ସମ୍ଭଳ ରଖିଛି ନିଜର ମାନ,
ବ୍ରହ୍ମପୁର ପାଟ ପିପିଲି ଚାନ୍ଦୁଆ କିଣିନିଏ କୋଟିମନ |
କେତେ ଲୋକ ନୃତ୍ୟ ଓଡ଼ିଶୀ ସଙ୍ଗୀତ ଦିଏ ନୂଆ ପରିଚୟ,
ଓଡ଼ିଆ ଭାଷାରେ ଢଗ ଢମାଳି ବି ଲାଗିବ ସଂଗୀତ ମୟ |
ହରିବୋଲ ସଂଗେ ହୁଳହୁଳି ଧ୍ୱନି କମ୍ପାଏ ଓଡ଼ିଶା ମାଟି,
ଶୁଭ ସକାଳରେ ସବୁ ପରବରେ ସବୁରି ଦୁଆରେ ଝୋଟି |
କୋଣାର୍କର ସୁକ୍ଷ୍ମ କାରୁକାର୍ଯ୍ୟ ଦେଖି ଆଖି ରହିଯାଏ ଲାଖି,
ପ୍ରାଚୀନ ମନ୍ଦିର କିର୍ତ୍ତୀରାଜି କଳା ଏ' ଜାତିର ମୁକସାକ୍ଷୀ |
ଆମ ପରମ୍ପରା ଗର୍ବ ଗଉରବ ଓଡ଼ିଆ ଜାତିର କଳା,
ପୁଣ୍ୟ ମାଟି ଏଇ ଓଡ଼ିଶାରେ ଜନ୍ମି ମୋ ଜୀବନ ଧନ୍ୟ ହେଲା |