ସେହି ତ ଆମ ଜନନୀ ଭାରତ
ସେହି ତ ଆମ ଜନନୀ ଭାରତ
ହିମାଳୟ ଆମରି ମଥାର ମୁକୁଟ ପରି
ନାଆଁ ତାହାର ବିଶ୍ଵବନ୍ଦିତ,
ଗଙ୍ଗା ଠୁଁ ଗୋଦାବରୀ କାଶ୍ମୀର ଠୁଁ କନ୍ୟାକୁମାରୀ
ସେହି ତ ଆମ ଜନନୀ ଭାରତ l
ସବୁଜ ବନାନୀ କଳ ନିନାଦିନୀ
ନିରିଝର ଗାନେ ଦେହେ ତା' ଶୋହେ,
ଆଶିଷର ଆଗମନୀ ପରଶର ଆବାହନୀ
କରୁଣମୟୀ ନୟନେ ପରାଣ ମୋହେ l
ସ୍ଵର୍ଣ୍ଣପ୍ରସୁ କ୍ଷେତ ଉତୁଙ୍ଗ ପରବତ
ତା' ରୂପ ଦରଶନେ ସୁଶୋଭିତ,
ଗୀତା, ଭାଗବତ ଉଦାର ଶବଦ
ତା' ପରାଚି ଗଗନେ ରବି ଉଦିତ l
ମଧୁର ଜଳ ମଧୁର ଫଳ
ମଧୁର ତାହାର କୋଳ,
ବିହଗ ସ୍ୱର ଡାଳରୁ ଡାଳ
ସୁନ୍ଦର ବନରାଜି ଶ୍ୟାମଳ l
କେତେ ଜାତିଭାଷା କେତେ ବେଶଭୂଷା
କେତେ ଧରମର ମେଳ,
କେତେ ଭରଷା କେତେ ସାହାସା
କେତେ ଅନେକତାର ବଳ l
ଇତିହାସ କହଇ ତା' ପାଦଧୂଳି ନେଇ
ଏ ମାଟିର ଯଶ କାଳଜୟୀ,
ଏଇ ଦେଶବୀର ଲହୁ ଢ଼ାଳିଦେଇ
ମଥା ତା'ର ଟେକ ରଖଇ l
ଆମ ଦେଶ ଅହିଂସା ପତାକାର ମାନ
ସଂସାରେ ସାର ତା' ଜୟଗାନ,
ରକତେ ଆମ ବହୁଛି ତା' ପାଣି ପବନ
ସେଇ ସ୍ଵାଧୀନ ବଳୟରେ କରୁ ସ୍ନାନ l
ଆସ ଆଜି ସରାଗେ ଭଉଣୀ ଓ ଭାଇ
ଏକରୁ ଆରେକ ନେବା ସବତ
ନିଜ କାମନା ଭୁଲି ଦେଶହିତ ପାଇଁ
ତା' ଚରଣେ କରିବା ମଥା ନତ
ବୀର ପ୍ରସବିନୀ ଦେଶ ଆମ ଏଇ
ସେଇ ତ ଆମ ଜନନୀ ଭାରତ l