ଆମ୍ବ ଗଛ.
ଆମ୍ବ ଗଛ.
ଆମ୍ବଗଛ ଟିଏ ଲଗାଇବ ଯେବେ
ପାଇବ ତା ଉପକାର
ସବୁ ଶୁଭ କାର୍ଯ୍ୟରେ ଯେ ଆମ୍ବ ଡାଳ
ବସେ କଳସ ଉପର ।
କିଛି ପଶୁ ତାର ପତ୍ରକୁ ଭୋଜନ
କରନ୍ତି ଆନନ୍ଦ ମନେ.
ଗଣେଶ, ସରସ୍ବତୀଙ୍କର ପୂଜାରେ
ଆମ୍ବ ତୋରଣ ଅଙ୍ଗନେ ।
ଶୁଖିଲା ପତ୍ରକୁ ଅଭାବୀ ମଣିଷ
ଜାଳେଣି କରି ଜାଳନ୍ତି
ତା ଗଛ ଛାଇରେ ବସି ପଥିକ ଯେ
ପଥ ଶ୍ରମକୁ ହରନ୍ତି ।
ଆସିଲେ ଫଗୁଣ ଶୋଭା ତା ଦ୍ବିଗୁଣ
ବଉଳର ବାସ୍ନା ଛୁଟେ
ଡାଳରେ ତାହାର ପଞ୍ଚମ ତାନରେ
କୁହୁନିଶିଥିନୀ ରଟେ ।
ପଖାଳ ଭାତରେ ଆମ୍ବ କଷି ନସୀ
ଖାଇବାକୁ ଲାଗେ ଭଲ
କଞ୍ଚା ଆମ୍ବକୁ ଯେ ଖାଇବା ପାଇଁକି
ପିଲାମାନଙ୍କର ଭିଡ଼ ।
ଆମ୍ବ ରୁ, ଆମ୍ବୁଲ, ଆଚାର ହୁଅଇ
ପାଚିଲା ଆମ୍ବ ମଧୁର
ଭାତ ଡାଲି ସହ ଆମ୍ବ ଥିଲେ ଆଉ
କିଛି ନାହିଁ ଦରକାର ।
ଆମ୍ବରସ ରୁ ମାଜା ଓ ଫ୍ରୁଟି ହୁଏ
ଖରାଦିନରେ ପିଅନ୍ତି
କାମ ନିମନ୍ତରେ ବନ୍ଧୁ ବାନ୍ଧବ ଙ୍କୁ
ଆନନ୍ଦରେ ବାଣ୍ଟିଥାନ୍ତି।
ବଞ୍ଚିଥିଲା ଯାଏଁ ଅମ୍ଳଜାନ ଦେଇ
ଆମକୁ ଥାଏ ବଞ୍ଚାଇ
ପତ୍ର, ପୁଷ୍ପ, ଫଳ, ଶେଷରେ ଶରୀର
ଆମରି କାମେ ଆସଇ ।
ରାସ୍ତାର ଉପରେ ପାଚିଲା ଆମ୍ବଟେ
ଯଦି ପଡିଯାଇ ଥାଏ
ସେହିବାଟେ ଯାଉଥିବା ଲୋକଟିଏ
ଆନନ୍ଦରେ ନେଇ ଯାଏ ।
ଜାତୀୟ ଫଳ ସେ ଜାତି ଉପକାରେ
ବିତଇ ତାର ଜୀବନ
ତାର ଅବଦାନ ଅଟଇ ମହାନ
କିଏ ହେବ ତା ସମାନ ।
ଜୀବନ ତମାମ ଅନ୍ୟର ସେବାରେ
ହୋଇଥାଏ ସମର୍ପିତ
ରସାଳ ନାମକୁ କରିଣ ସାର୍ଥକ
ପିଆଇ ଥାଏ ଅମୃତ ।