ଗ୍ରୀଷ୍ମ ଋତୁ।
ଗ୍ରୀଷ୍ମ ଋତୁ।
ଋତୁରାଜ ବସନ୍ତ ବିଦାୟ ପରେ
ପାଦ ଥାପିଲାଣି ଗ୍ରୀଷ୍ମ
ମଳୟ ପବନ ବହିବା ସପନ
ସବୁଠାରେ ଖାଲି ଉଷ୍ମ।
ବୃକ୍ଷରୁ ପଲ୍ଲବ ବୃନ୍ତ ଚ୍ୟୁତ ହୋଇ
ଦିଶୁଅଛି ହତଶିରି
ନଦୀ ନାଳ ପୁଷ୍କରିଣୀ ଶୁଖି ଯାଏ
ଦିଶେ ନାହିଁ କାହିଁ ବାରି।
ଜ୍ୱଳନ୍ତ ଅଗ୍ନି ପରି ଭାନୁ କିରଣ
ପୋଡିଯାଏ ଗୋଡ ହାତ
ପ୍ରତ୍ୟେକ ଜିନିଷ ଛୁଇଁଲେ ଗରମ
ଲାଗେ ହେବ ଅଂଶୁଘାତ।
ଗ୍ରୀଷ୍ମ ପ୍ରବାହରେ ଆମ୍ବ ପଣସ ଓ
ପାଚଇ ଖଜୁରୀ କୋଳି
ରଜ ପର୍ବ ପଡ଼େ ଗ୍ରୀଷମ ଋତୁରେ
ପିଲାଏ ଖେଳନ୍ତି ଦୋଳି।
ତରଭୁଜ କାକୁଡି ଓ ତାଳସଜ
ଦେଖାନ୍ତି ଭାଉ ନିଜର
ଲସି ସର୍ବତ ଓ ଥଣ୍ଡା ପାନୀୟର
ଚାହିଦା ହୁଅଇ ଜୋର୍।
ପୃଥିବୀର ଜଳ ବାଷ୍ପ ହୋଇ କରି
ଆକାଶେ ମିଶଇ ଯାଇଁ
କିଛି ଦିନ ପରେ ବରଷା ରୂପରେ
ଆସିବ ମରତ ଭୂଇଁ।
ଜୀବ ଜନ୍ତୁ ମାନେ ପାଣି ଟୋପେ ପାଇଁ
ହନ୍ତସନ୍ତ ହୋଇଯାନ୍ତି
ଚାତକ ଭାବୁଛି କିପରି ସହିବ
ପ୍ରଚଣ୍ଡ ରୌଦ୍ରର ତାତି।
ସତେ ଏ ଜୀବନ ରହିବ ତାହାର
ନୟନେ ଦେଖିବ ଘନ
ଗ୍ରୀଷ୍ମର ପ୍ରଭାବ ଅସ୍ତ ବ୍ୟସ୍ତ କରେ
ଗାତ୍ର ହୁଅଇ ଦହନ।
କେକୀ ଭାବେ ମନେ ଦାରୁଣ ଗ୍ରୀଷମ
କେବେ ଛାଡ଼ିକରି ଯିବ
ପ୍ରାଣ ପ୍ରିୟ ତାର ଆସିବେ ଗଗନେ
ପୁଚ୍ଛ ଟେକି ସେ ନାଚିବ।
ନୀରସ ପ୍ରାଣରେ ବାରି ବରଷଣେ
ପୃଥିବୀ ହେବ ଆଶ୍ବସ୍ତ
ଜଳ ପୁର୍ଣ୍ଣ ସ୍ଥାନେ ଫୁଟିବ କମଳ
ପ୍ରଭାକର ହେବେ ପ୍ରୀତ।
ଗଛନାହିଁ ବୋଲି ପ୍ରବଳ ଗରମ
ହେଉଛି ତତଲା ଭୂଇଁ
ଗ୍ରୀଷ୍ମ ପାଇଁ ସିନା ବର୍ଷା ହେଉ ଅଛି
ସେ କଥା କେ ବୁଝେନାହିଁ।।