ପ୍ରକୃତିର ପରିଭାଷା
ପ୍ରକୃତିର ପରିଭାଷା
ଟିକି ଟିକି ଘାସ ସୁନାର ଫସଲ
ଅଙ୍କା ବଙ୍କା ନଈ ଗିରି ବନ ବିଲ l
ଅଦୂର ପାହାଡ଼ ଅଖ୍ୟାତ ପଲ୍ଲୀ
ଘଞ୍ଚ ବନାନୀର ବାସହୀନ ମଲ୍ଲୀ l
ସରିତ ସାଗର ଶ୍ୟାମଳ ତରୁ
ପାର୍ବତ୍ୟ ଅଞ୍ଚଳ ବାଲୁକା ମରୁ l
ବ୍ୟସ୍ତ ଜନପଦ ଗହୀର ପାଟ
ଦୂର ତାଳ ବଣ ନଦୀର ଘାଟ l
ନିର୍ଜନ ଇଲାକା ଅନ୍ଧାର ରାତି
ଶୂନ୍ ଶାନ୍ ପଥେ ବଢାଏ ଭୀତି l
ପଶୁ ପକ୍ଷୀ କୀଟ ପତଙ୍ଗ ଗଣ
କରୁଥାନ୍ତି ଏଠି ନିତି ବିଚରଣ l
ଅନନ୍ତ ଆକାଶ ତାରକା ପୁଞ୍ଜ
ରହସ୍ୟମୟ ଏ ଜହ୍ନ ରାଇଜ l
କେତେ ନଦ ନଦୀ ସରସୀ ହ୍ରଦ
ମୁକ୍ତ ମାଳଭୂମି ବାଲୁକା କୁଦ l
ଫସଲ କିଆରୀ ଗହୀର ମାଳ
ଲବଣାକ୍ତ ଆଉ ମଧୁର ଜଳ l
ପାହାଡ଼ କୋଳେ ଟିକି ଝରଣା
ଚାଷୀ ଭାଇର ମାଟି ଅଗଣା l
ପାହାଡ଼ ଫାଙ୍କେ ବାଳ ସୂରୁଜ
ଧରଣୀ ବୁକେ ବୁଣେ ମୁରୁଜ l
ଅଖ୍ୟାତ ପଲ୍ଲୀର ଗୋଧୂଳି କାଳ
ଗୋରୁପଲଙ୍କର ବାହୁଡା଼ ବେଳ l
ବିଭାବରୀ ଅନ୍ତେ ଆସଇ ଉଷା
ଏଇତ ପ୍ରକୃତିର ପରିଭାଷା l
