କି ସୁନ୍ଦର ଏଇ ଧରା
କି ସୁନ୍ଦର ଏଇ ଧରା
କି ସୁନ୍ଦର ଏଇ ଧରା
କେତେ ନଦ ନଦୀ ସାଗର ଜଳଧି
ସବୁଜ ବନାନୀ ଘେରା l
ଗିରି ଗିରିପଥ ବିହଙ୍ଗର ଗୀତ
କୋଇଲିର କୁହୁତାନ
ମଧୁମକ୍ଷିକାର ମଧୁ ଆହରଣ
ଆହ୍ଲାଦିତ କରେ ମନ l
ପ୍ରକୃତିର କୋଳେ ତରୁ ଲତା ଡାଳେ
କପୋତୀ ବାହୁନେ ବସି
କପୋତର ପଥ ଚାହିଁ ଚାହିଁ ସେତ
ମୁହଁ ସଂଜ ହୁଏ ଆସି l
ବଉଳା ଗାଈର ବାଟ ଚାହିଁ ଚାହିଁ
ବାଛୁରୀ ତା' ହୁଏ ବ୍ୟସ୍ତ
ଏ ଯାଏଁ ଫେରିନି ଗୋଠରୁ ବଉଳା
ସୂରୁଜ ହେଲେଣି ଅସ୍ତ l
ଗାଁ ଶେଷ ମୁଣ୍ଡେ ସଂଜ ନଇଁଲାଣି
ସୂରୁଜ ଗଲେଣି ଲୁଚି
ଲୋହିତ ଗୋଧୂଳି ତୋରାକୁ ପଖାଳି
ଝଲସାଏ ତାର ବୀଚି l
ଗାଁ ଧାରେ ଧାରେ ଅନତିଦୂରରେ
ହସଇ ଫସଲ କ୍ଷେତ
ଗ୍ରାମଦେବତୀଙ୍କ ମନ୍ଦିର ଚୂଡ଼ାରେ
ଫର ଫର ଉଡେ ନେତ l
ତଟିନୀ ତଟରେ ମୃଦୁ ମଳୟରେ
ହସିଉଠେ କାଶତଣ୍ଡୀ
ଶରତ ସଂଜର ନିର୍ମଳ ଆକାଶେ
ନଥାଏ ମେଘର ଖଣ୍ଡି l
ହେମନ୍ତ କାଳରେ ଦୂରୁ ଭାସିଆସେ
ସୋରିଷ ଫୁଲର ବାସ
ସୋରିଷ କ୍ଷେତର ମାଟି ହୁଡ଼ା ପରେ
ଉଠଇ କଅଁଳ ଘାସ l
ଶୀତ ସକାଳର କାକର ବୁନ୍ଦାରୁ
ଚଷା ଭାଇ ଗାଏ ଗୀତ
ସୁନେଲି ସୂରୁଜ ବୁଣିଲେ ମୁରୁଜ
ହସିଉଠେ ସୁନା କ୍ଷେତ l
ବସନ୍ତ କାଳରେ ମନ୍ଦ ସମୀରଣେ
ପୁଲକିତ ହୁଏ ମନ
ତୋଟା ଗହଳରୁ ଭାସିଆସୁଥାଏ
କୋଇଲିର ମଧୁ ସ୍ଵନ l
ନିଦାଘ କାଳରେ ଗାଁ ଓହଳରେ
ପାଚଇ କଣ୍ଟେଇ କୋଳି
ଆଉ କି ଫେରିବ ସେଇ ପିଲାଦିନ
ମନ ହୁଏ ଏବେ ଭାଳି l
ବରଷା କାଳରେ ଘର ଅଗଣାରେ
ଓଳି ପାଣି ଯାଏ ବହି
ହାତ ତିଆରି ସେ କାଗଜ ଡଙ୍ଗାଟି
ଭାସି ଯାଏ ରହି ରହି l
ବିଧାତାର ଏଇ ଅନବଦ୍ୟ ସୃଷ୍ଟି
କି ସୁନ୍ଦର ଏଇ ଧରା
ରୂପ ଚାତୁରୀରେ ବର୍ଣ୍ଣନାତୀତ ସେ
ଅବିସ୍ମର ଅପାସୋରା l
