STORYMIRROR

Kishore Nayak

Classics Inspirational

4  

Kishore Nayak

Classics Inspirational

ସୁରମ୍ୟ ପ୍ରକୃତି

ସୁରମ୍ୟ ପ୍ରକୃତି

1 min
349


ଫୁଲ ଫଳେ ଭରା ଏ ସୁନ୍ଦର ଧରା 

କେତେ ନଦ ନଦୀ ସବୁଜ କ୍ଷେତ 

ଦୂର ତାଳବଣ ନିଘଞ୍ଚ ବନାନୀ 

ଅଖ୍ୟାତ ପଲ୍ଲୀର ବନ୍ଧୁର ପଥ l


ସାଗର ଅମ୍ବର ବିଶାଳ ଭୂଧର 

ବଣ ମୂଲକର ଅପୂର୍ବ ଶୋଭା 

ମେଘ ଆଗମନେ ସଜଳ ନୟନେ 

ଆକାଶେ ବଉଦ ସଜାଏ ଗଭା l


ତରୁ ଲତା ଡାଳେ ଉଷା ସାୟଂକାଳେ 

ବିହଙ୍ଗେ ଗାଆନ୍ତି ମଧୁର ଗୀତି

ନିଦ୍ରିତ ଜଗତ ହୁଅଇ ଜାଗ୍ରତ 

ପ୍ରକୃତି ଭୁବନେ ପାହିଲେ ରାତି l


ଉଷା ଆଗମନେ ମିହିର ସଘନେ 

ପୂରୁବ ଦିଗରେ ଆସନ୍ତି ଉଇଁ 

ଶୁଭ ମହୁରତେ ତଡାଗ ସରିତେ 

ପଦ୍ମ ସଙ୍ଗତରେ ଫୁଟଇ କଇଁ l


ବିଶାଳ ଜଳଧି ନିଜ ବକ୍ଷ ଭେଦି 

ଭୀମ ଗରଜନେ ଦେଖାଏ ଠାଣି 

ବାରୁଣୀ ତଟରେ ଲୋହିତ ଗୋଧୂଳି 

ଜନ ମନ ନିଏ ସରାଗେ କିଣି l


କୁଳୁକୁଳୁ ନାଦେ ମଧୁର ଶବଦେ 

ପାହାଡୁ ଝରଣା ଯାଏଟି ବହି 

ରୂପ ସମ୍ଭାରରେ ସବୁଜ ବନାନୀ 

କୋଟି ଜନ ମନ ନିଏଟି ମୋହି l


କେତେ ଜନପଦ ବିଲ ବଣ ହ୍ରଦ 

ପ୍ରକୃତି କୋଳରେ ଅଦ୍ୟାପି ସୋହେ

ଅନିନ୍ଦ୍ୟ ବିସ୍ମୟ ରୂପ ମାଧୁରୀରେ 

ଦେଖଣାହାରୀର ପରାଣ ମୋହେ ।


Rate this content
Log in

Similar oriya poem from Classics