ପ୍ରକୃତି ମାନସ
ପ୍ରକୃତି ମାନସ
ଏ ବିଶ୍ୱ ଭୁବନ ଈଶ୍ୱରଙ୍କ ଦାନ
ଯହିଁରେ ଜୀବନ ହୋଇଛି ସତ
କୀଟ ଠୁ ପତଙ୍ଗ ଜୀବ ଜନ୍ତୁ ଯାକେ
ତରୁ ଲତା ଭରା ଏଇ ଜଗତ l
ରୂପେ ରୂପମୟ ଅନିନ୍ଦ୍ୟ ବିସ୍ମୟ
କି ସୁନ୍ଦର ଏଇ ଦିଗନ୍ତ ଧରା
ଯା' ରୂପମାଧୁରୀ ଦେଖି ବିଭାବରୀ
ଖୁସିରେ ହୁଅଇ ସେ ଆତ୍ମହରା l
ଆସି ବିଭାବରୀ ଅଭିସାରେ ବରି
ତା' କଳା ପଣତେ ଦିଅଇ ଢାଙ୍କି
ଉଷା ଆଗମନ ଜାଣି କ୍ରୋଧାଛନ୍ନ
ଇର୍ଷାକୁ ଉଦ୍ଗାରୀ ଉଠେ ଚିହିଁକି l
ପ୍ରାତଃ ବି ଚାତକେ ରହିଥାଏ ଚାହିଁ
କେତେବେଳେ ନିଶା ଯିବ ଉତୁରି
ସୂରୁଜଙ୍କୁ ଡାକି କିରଣ ପ୍ରଶାଖି
ପ୍ରାନ୍ତରୁ ପ୍ରାନ୍ତକୁ ଯିବ ବିସ୍ତରି l
ସରିତ ସାଗର ବନାନୀ ଭୂଧର
ନିଜକୁ ମଣନ୍ତି ଶତତ ଧନ୍ୟ
ସୁଷମା ଚାତୁରୀ ନିଏ ମନ ହରି
ପ୍ରକୃତିର ଏଇ ଶୋଭା ଅନନ୍ୟ l
ବାଲୁକା ପ୍ରାନ୍ତର ଦୂର ତାଳ ବଣ
ବ୍ୟସ୍ତ ଜନପଦ ଫସଲ କ୍ଷେତ
ତା' ରୂପମାଧୁରୀ ସ୍ମୃତି ମାନସରେ
ଭାବିଲେ ଆନନ୍ଦ ଲାଗେ ବହୁତ l
ନନ୍ଦନକାନନ ଏ ବିଶ୍ୱ ଭୁବନ
ପ୍ରକୃତି ଆମର ପରମ ମିତ
ଏ ଜୀବଜଗତ ତା'ର ଅବଦାନେ
ମଥାନତ କରି ହୁଏ ଗର୍ବିତ l
