"ଗାଁ ଟି ମୋର କେଡେ ସୁନ୍ଦର"
"ଗାଁ ଟି ମୋର କେଡେ ସୁନ୍ଦର"
ଗାଁ ଟି ମୋର କେଡେ ସୁନ୍ଦର
ସୁନ୍ଦର ତା'ର ପାଟ ଗହୀର
ନଈ ର ଘାଟ ପୋଖରୀ ତୁଠ
ସୁନାର କ୍ଷେତ ହସେ
ପାଟ ପାରିହେଲେ
ମାମୁଁ ଘର ଗାଁ ଦିଶେ l
ଗାଁ ଟି ମୋର କେଡେ ସୁନ୍ଦର
ନଥାଏ ଯହିଁ ଆପଣା ପର
ବାରମାସରେ ତେର ପରବ
କେତେ ଯେ ଯାନୀ ଯାତ
ହସ ଖୁସିରେ
ହୁଅଇ ଭୋଜିଭାତ l
ଗାଁ ଟି ମୋର କେଡେ ସୁନ୍ଦର
ସତେକି ଅବା ସରଗପୁର
ଏକାଠି ବସୁ ଏକାଠି ହସୁ
ସମୟ ଯାଏ ବିତି
ସଭିଏଁ ଏଠି
ସୁଖ ଦୁଃଖର ସାଥୀ l
ଗାଁ ଟି ମୋର କେଡେ ସୁନ୍ଦର
ସୁନ୍ଦର ତା'ର ମଠ ମନ୍ଦିର
ସବୁଜ ତରୁ ଲତା ଗହଳ
ବଣ ପାହାଡ଼ ଘେରା
ପ୍ରକୃତି କୋଳେ
ଦିଶଇ କେଡେ ତୋରା l
ଗାଁ ଟି ମୋର କେଡେ ସୁନ୍ଦର
ଅପୂର୍ବ ତା'ର ଶୋଭା ସମ୍ଭାର
ପ୍ରାତଃ ସୂରୁଜ ନାଲି ମୁରୁଜ
ଦିଅନ୍ତି ଏଠି ବୁଣି
ଶୀତୁଆ ସଂଜ ବଉଦ କୁଞ୍ଜ
ମନକୁ ନିଏ କିଣି l
ଗାଁ ଟି ମୋର କେଡେ ସୁନ୍ଦର
ନାହିଁରେ ନାହିଁ କଳନା ତା'ର
ସୁନ୍ଦର ତା'ର ନୀଳ ଆକାଶ
ତାରା ଜହ୍ନ ରେ ଭରା
ନାଆଁ ଟି ତା'ର
ଅଭୁଲା ଅପାସୋରା
