, ସେହି ଅନୁତପ୍ତ ହୃଦୟକୁ
, ସେହି ଅନୁତପ୍ତ ହୃଦୟକୁ
ପାଇବାଠୁ ଭୁଲି ଯିବାର ଦୂରତା
ମାପି କିଛି ଲାଭ ନାହିଁ,
ଭୁଲ୍କରି ଅନୁତାପେ ଆତ୍ମାହୁତି
ଦେଇ କିଛି ଲାଭ ନାହିଁ।
କେବେ,ପ୍ରେମର ବେପାରୀ ହୋଇ,
ବ୍ଯଗ୍ର ହୁଅ ନାହିଁ ଛଳନା ହାଟରେ
ନିଜକୁ ବିକିବା ପାଇଁ।୧।
ଶ୍ରାବଣକୁ ଉପହାସ କର ନାହିଁ
ଫଗୁଣର ରାଣ ଦେଇ,
ଅତୀତକୁ ଗଲା କଥାଗୁଡା କହି
ବାହାଦୂରୀ ନିଅ ନାହିଁ,
ବରଂ,ନିଜ ଶବ ନିଜେ ବୋହି,
ଚାଲିବାକୁ ଶିଖ ତତଲା ବାଲିରେ
ନିଜ ପାଦ ଥୋଇ ଥୋଇ।୨।
ବର୍ଷା ଚାହେଁ ଭଷା ବାଦଲକୁ ସିନା
ଭରଷା ତା'ଠାରେ ନାହିଁ,
ପ୍ରେମରେ ଭିଜେଇ ସବୁ ଲୁଟିନେଇ
ଚାଲିଯାଏ ଧୋକା ଦେଇ।
ଅପରାହ୍ନ ହେଲେ ଛାଇ ଲେଉଟିଲେ
(ଏଠି)ସୁରୂଜକୁ ଖୋଜ ନାହିଁ,
ସକାଳ ବି ଦାବିକରେ ଦାଉ ସାଧି
ରାତି କଥା କହି କହି।
ଓଠ,ମନକଥା ମାନେ ନାହିଁ,
ସନ୍ଦେହ ବି ଛୁଏଁ ବୋଧହୁଏ ସିଏ
ହସେ ପୁଣି କାହାପାଇଁ।୩।
ବନ୍ଧୁ,ଏକାନ୍ତରେବସିଭାବିଛ କିଥରେ
ନିଜ ଆଖି ଲୁହ ପିଇ,
ଯେଉଁ ଆଖି ଲୁହେ ସମ୍ପର୍କ ବଞ୍ଚିଛି
ନିଜର କରିବା ପାଇଁ।
କେବେ,ବିଶ୍ୱାସ ହରାଅ ନାହିଁ,
ଅନ୍ଧାରବି କେବେ ଆସିଥାଏ ପ୍ରାୟେ
ସ୍ଵପ୍ନକୁ ସାଥିରେ ନେଇ।୪।
ମାଳି ଛାଡିଦେଲେ ବଗିଚାର ହାତ
ଫୁଲ କାନ୍ଦେ କଇଁ କଇଁ,
ସାଥି ବିନା ଆଜି ଅହଲ୍ୟା ସୁନ୍ଦରୀ
ପଡ଼ିଛି ପଥର ହୋଇ।
ଚଉଦିଗୁଁ କଳାମେଘ ଢାଙ୍କିଦେଲେ
କୋଇଲି ବି ଗାଏ ନାହିଁ,
ତଥାପି ଚାହିଁଛି ଦୁଃଖିନୀ ଅହଲ୍ୟା
କାହା ପାଦସ୍ପର୍ଶ ପାଇଁ।
ତେଣୁ,ପ୍ରେମ ଚିରସ୍ରୋତା ନଈ,
ସମ୍ଭାବନା ସବୁ ମରିଯାଉ ପଛେ
କାହା ଦୋଷ ଦିଅ ନାହିଁ।୫।
ହଁ,ଏକା ଏକା ସିଏ ନାଚିବାର ଦେଖି
ହସିପାର ମନା ନାହିଁଁ,
କିନ୍ତୁ ଥରେ ମାତ୍ର ଚେଷ୍ଟାକରି ବୁଝ
ନାଚୁଛି ସେ କାହାପାଇଁ।
ସୁନ୍ଦରୀଫୁଲରସୌନ୍ଦର୍ଯ୍ୟରେ କେବେ
ଆକର୍ଷିତ ହୁଅ ନାହିଁ,
ତା'ହୃଦ ନାୟକ ନିଶ୍ଚେ ଆସୁଥିବ
ପ୍ରେମ ଗୀତ ଗାଇ ଗାଇ,
କିନ୍ତୁ,ଭାବିବାର କିଛି ନାହିଁ,
ତଥାପି ସେ କଥା କହିବାକୁ ବେଳ
କେବେ ବି ଅଣ୍ଟିବ ନାହିଁ।୬।
