ସେବା ହିଁ ପ୍ରକୃତ ଧର୍ମ
ସେବା ହିଁ ପ୍ରକୃତ ଧର୍ମ
ପ୍ରତିକୂଳ ଏକ ପରିସ୍ଥିତି ଦିନେ
ଦୋହଲାଇ ଦେଲା ତନୁ ,
ଚଉଦିଗ ମୋତେ ଅନ୍ଧାର ଦିଶିଲା
ଖୁସି ହଜିଗଲା ମନୁ
ଭାରୀ ହେଲା ଦେହ ମନର କଷଣ
ବୁଦ୍ଧି ହୋଇଗଲା ବଣା ,
କେମିତି ଆଗକୁ ବଢ଼ିବି ସେ କଥା
କଦାପି ନ ଥିଲା ଜଣା
ସେବେଳେ ପ୍ରଭୁଙ୍କୁ ସୁମରଣ କଲି
ବିପଦରେ ହୁଅ ସାହା ,
ଆନ ହିତ କରି ବିତୁ ଏ ଜୀବନ
କରୁଣା କରିଲେ ନାହା
ଭୀମ ଭୋଇଙ୍କର ଉକ୍ତି ମୁଁ ପଢ଼ିକି
ଦୃଢ଼ କଲି ମନୋବଳ ,
"ଆନ କଲ୍ୟାଣରେ ବ୍ରତୀ ହୋଇ ନିଶ୍ଚେ
ଜନ୍ମ କରିବି ସଫଳ "
ଧୀରେ ଧୀରେ ମୋର ମନକୁ ବୁଝାଇ
ପ୍ରସନ୍ନ ରଖିଲି ଚିତ୍ତ ,
ପରିବାର ଲୋକ ସେ ପରିସ୍ଥିତିରେ
ସାଜିଲେ ବି ମୋର ମିତ
ସାନ ଠାରୁ ବଡ଼ ସଭିଙ୍କ ସହିତ
ମଧୁର ସମ୍ପର୍କ ଗଢ଼ି ,
ଯେବେଳେ ଯେ ମୋର ସାହାଯ୍ୟ ଲୋଡ଼ିଲେ
କଲି ମୁଁ ଉପରେ ପଡ଼ି
ପିଲାମାନଙ୍କୁ ମୁଁ ପାଠ ପଢ଼ାଇଲି
ଶିଖାଇଲି କେତେ କଥା ,
ରାମାୟଣ ଆଉ ମହାଭାରତଠୁଁ
ମହାମନୀଷୀଙ୍କ ଗାଥା
ଦୁଃଖୀ ମଣିଷର ସମସ୍ୟା ବୁଝିକି
ଦେଲି ମୁଁ ସୁପରାମର୍ଶ ,
ଏମିତି ଭାବରେ ବିତି ତ ଗଲାଣି
ଅନେକ ମାସ ଓ ବର୍ଷ
ସମାଜ ଓ ଭାଷା ହିତରେ ଧରିଲି
କଲମ ପିଲାଟି ବେଳୁ ,
ରଚିଲି ତାଙ୍କର ମନଲାଖି ସୃଷ୍ଟି
ମତ ମିଳୁ ବା ନ ମିଳୁ
ରାଜ୍ୟ ସରକାର ପାଠାଗାର ପାଇଁ
ମନୋନୀତ କଲେ ବହି ,
କାଳଜୟୀ ଲେଖା ଲେଖୁଛନ୍ତି ବୋଲି
ପାଠକେ ଦିଅନ୍ତି କହି
ସୁଖରେ ଅଧିର ବିପଦେ କାତର
ନୋହି କରିଚାଲେ କର୍ମ ,
ଏ ଜୀବନ ଏକ ସଂଘର୍ଷର କ୍ଷେତ୍ର
ସେବା ହିଁ ପ୍ରକୃତ ଧର୍ମ
ମୋତେ ଅନୁସରି ସାନ ଠାରୁ ବଡ଼
କରନ୍ତି ବି ଭଲକାମ ,
କଥା କଥାକେ ସେ ଉଦାହରଣରେ
ନିଅନ୍ତି ଯେ ମୋର ନାମ
"ତୁମ କଥା କାର୍ଯ୍ୟ ପ୍ରେରଣାଦାୟକ"
ଲୋକ ଦେଉଛନ୍ତି ମତ ,
ଜୀବନ ଯୁଦ୍ଧର ବିଜୟୀ ସେନା ମୁଁ
ଏ କଥାଟି ଅଟେ ସତ୍ୟ
