ସେ ପୀରତି ସତେ
ସେ ପୀରତି ସତେ
(5)
ସେ ପୀରତି ସତେ
କବି ସୂର୍ଯ୍ୟ ବଳଦେବ ରଥ
ରାଗ – ଆଷାଢ ଶୁକ୍ଳ
ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମୋତେ (ଘୋଷା)
ଶାରଦା ନୁହେଁ କରେ ବାବଦୂକ, ଅମଳ ନୋହେ ଅତି ଉନ୍ମାଦକ,
ହୋଇ ଉଦୟ ଅଦୃଶ୍ୟ ପଦକ, ହଜାଇ ଦିଅଇ ବିବେକଯାକ (1)
ସୁମ ନୋହି କରେ ଦିବ୍ୟ ସୁଗନ୍ଧ,ସମଜଇ ନାହିଁ ନୁହଁଇ କନ୍ଧ,
ପଟଳ ନୋହି ଚକ୍ଷୁ କରେ ଅନ୍ଧ, ଶୃଙ୍ଖଳ ନୋହେ ଦୃଢେକରେ ବନ୍ଧ (2)
ନୋହେ ବଇରାଗ୍ୟ ତେବେ ସେ ଦେହେ, ତାହା ବିନା ଯତ୍ନ ଲବେ ନରହେ,
ଅଜ୍ଞାନ କରେ ମୂର୍ଖପଣ ନୋହେ, ଅନ୍ନ ନୋହି ଶୀର୍ଣ୍ଣ କରେ ବିରହେ (3)
ନୋହେ ଚନ୍ଦ୍ରକର କରେ ଆହ୍ଲାଦ, ଅମୃତ ନୁହେଁ ସେ କରେ ସୁଆଦ,
ଚିନ୍ତା ନୁହେ ଜାତ କରେ ବିଶାଦ, ବଢାଏ ଗରବ ନୁହେଁ ସମ୍ପଦ (4)
ନୁହଇଶରୀରରଖା ମନ୍ତର, ଦର ହେତୁରୁ ନ ଜନ୍ମାଏ ଦର,
ହୁଏ ନିଦାନଭୂତ ବିନା ଦର,ପଲ୍ଲବାଏ ଅଶଦୃଶେ ଆଦର (5)
ନୋହେ ଘୂକନେତ୍ରଗୋଳା କଜ୍ଜଳ, ଦୃଶ୍ୟ କରାଏ ଗାଢତମ ସ୍ଥଳ,
ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ,ବୁଡାଇ ଦିଅଇ ନୁହବଇ ଜଳ (6)
ଅତି ଚମତ୍କାରତର ତା ଲୀଳା, ନାହିଁ ଦେହ ନୁହେଁ ଚିତ୍ରକୁଶଳା,
ଲେଖଇ ସଂସାରେ ନରଖି ତୁଳା, ପ୍ରତି ଦିଗେ ପ୍ରିୟଜନ ପିତୁଳା (7)
ଅଭିପ୍ରେତ ଗଲେ ନୟନେ ପଡି, ଅଟକାଇ ପଦ ନୁହଇ ହଡି,
ନ ଥାଏ ଭୁଜ ରହିଥାଏ ଭିଡି, ନୁହଇ ପରାଣ ନୁହଇ ଛାଡି (8)
ପୁତ୍ର କଳତ୍ର ସମ୍ପତି ଆବାସେ, ରୁଚି ବିନା ବିଷ ପରି ଆଭାସେ,
ଚିନ୍ତା ଜନ୍ମାଇ ଦିଅଇ ମାନସେ, ଆହା କି ବିଚିତ୍ର ରସ ନଦୀ ସେ (9)
ବିଛେଦ କ୍ଷଣ କରଇ ବରଷେ, ସଙ୍ଗମେ ଅଶେଷ ସୁଖ ବରଷେ,
ବର ଆକର ସବୁ ଭାବର ସେ, ଅତି ବିଷମ ହୁଏ ନବ ରସେ(10)
ସନ୍ତପ୍ତ କରେ ନୁହଇ ତପନ ଅନ୍ତକ ନୁହେ ହରଇ ଜୀବନ,
ମନୁ ଜନମେ ନୁହଇ ମଦନ, ଦନୁଜ ନୋହେ ସେ ପିଶିତାସନ (11)
ନୁହଇ ପରଶୁ କେଦାର ପରି, ପାରଇ ଫଣୀ ଫଣାମଣି ହରି,
ମନୋରଥ ପଥେ ନଥିବା ଶିରୀ, ହେଲେ ଦିଅଇ କରଗତ କରି (12)
ନୋହେ ବହଳ ଉପାହନ ଯୋଡି, କଣ୍ଟକେ କଟାକ୍ଷ ନକରେ ଅଡି,
ବୃଷ୍ଟିବାରଣ ଛତ୍ର ନ ପକଡି, ନ ମାନେ ନଭମାସ ନିଶା ଝଡି (13)
ନୁହଇ ପାଷାଣ ମୂଷା ସମାନ, ନ ମାନେ ରାଢପଣେ ଦାଢ ମୁନ,
ମୁହଇ ଖେଚର ସିଦ୍ଧସାଧନ, ଧନଦାଳୟକୁ ପେଷଇ ମନ (14)
ଫଳେ ନାନାଫଳ ନୋହେ ବ୍ରତତୀ, ସ୍ମର ସହଚର ନୁହେ କେଳତି,
ମର୍ମରେ ଭେଦଇ ନୁହଇ କାତି, ମଦିରା ନୋହି ଯା ହରଇ ଜାତି (15)
ଅତ୍ରି ମୁନିଙ୍କର ଗୋତ୍ର ସମ୍ଭବୀ, ଭୂଦେବ ରାୟଗୁରୁ କବିରବି,
ସଂଶୟ ଧ୍ୱଂସ ନୋହିବାରୁ କିଛି, ବିଚାରି ମାନସେ ପଚାରୁଅଛି l
ସେ ପୀରତି ସତେ କି ପଦାର୍ଥ କହ ପଣ୍ଡିତେ ମୋତେ (16)