STORYMIRROR

Dr. Pratap Kumar Swain

Classics

3  

Dr. Pratap Kumar Swain

Classics

ସେ ଦିନର ବର୍ଷା ରାତି

ସେ ଦିନର ବର୍ଷା ରାତି

2 mins
287


ମନେପଡେ ସେଦିନର ଶ୍ରାବଣର ରାତି

ତୁହାକୁ ତୁହା ବରଷା ପଡୁଥିଲା ଖସି।

ଲାଗୁଥିଲା ସତେ ଅବା ବୁଢା ଅବଧାନ

କରୁଥିଲେ ବ୍ଯତ୍ରାଘାତ ଡାକି ଜଣ ଜଣ।

କିଛିକ୍ଷଣ ପରେ ବର୍ଷା ଗଲା ପୁଣି ଛାଡି।

ନିଶାକର ପ୍ରକାଶିଲେ ବଉଦକୁ ଚିରି।

ମାମୁଁ ଆସି ଡାକିଦେଲେ ଯିବାପାଇଁ ସାଥେ

ମାଛ ଧରିବାକୁ ପୁଣି ସାଗର ର ବୁକେ।

ଆକାଶ ର ବୁକେ ଦେଖି ଶୁଭ୍ର ଜହ୍ନ ରାଶି

ମାମୁଁଙ୍କ କଥାରେ ପୁଣି ଦେଲି ମୁଁ ସମ୍ମତି।

ସମୁଦ୍ର ସର୍ଜିତ ନଦୀ ଉଛୁଳେ ତରଙ୍ଗ

ସତେକି ସମୁଦ୍ର ଅବା ଅତି ଅନ୍ତରଙ୍ଗ ।

ପ୍ରବଳ ଜୁଆର ଆସେ ନଦୀ ଗର୍ଭ ଦେଇ

ବକ୍ଷରେ ତା ପାଦ ଥାପି ରହି ହେଉନାହିଁ ।

ଏମିତି ମୁଁ ଭାବନାରେ ଯାଇଥିଲି ମଜ୍ଜି

ତରଙ୍ଗ ର ସ୍ପର୍ଶେ ପୁଣି ଯାଇଥିଲି ଭିଜି।

ମାଛ ଧରା ପ୍ରତି ମୋର ନଥିଲାତ ଧ୍ଯାନ

ଦେଖୁଥିଲି ନଦୀ ଆଉ ସମୁଦ୍ର ମିଳନ।

ମୁହାଣ ଦେଇ ପଶଇ ସାଗରର ଜଳ

ନଦୀ ଗର୍ଭେ ଆଉ ନ ପାଏଯେ ଥଳକୂଳ।

ରାତ୍ରି ର ବୟସ ବୃଦ୍ଧି ହେଲା ଧିରେ ଧିରେ

ନଭଶ୍ଚୁମ୍ବୀ ତରଙ୍ଗ ଯେ ସମୁଦ୍ର ରେ ଖେଳେ।

ନଦୀ ର ଛାତି ଫୁଲାଇ କରେ କଳରବ

ଛନକାଏ ଭୟ କରେ ମୋତେ ହତବମ୍ବ।

ମାମୁଁ ଫିଙ୍ଗି ଚାଲୁଥାନ୍ତି ଲକ୍ଷ୍ୟ କରି ଜାଲ

ସମୁଦ୍ର ବଝୁ ନଥାଏ ତାଙ୍କ ଶ୍ରମ ମୂଲ ।

ବାରମ୍ବାର କରରୁଥାନ୍ତି ଯେତେ ସେ କ୍ଷେପଣ

ଜାଲ ଭାଷିଯାଉଥାଏ ପ୍ରଖର ସ୍ରୋତେଣ।

ମନରୁ ମୋ ମାଛଧରା ନିଶା ଗଲା ଛାଡି

ମାମୁଁ ମଧ୍ୟ ବାରମ୍ବାର ଯାଉଥିଲେ ଚିଡି।

ଶେଷରେ ନିଷ୍ପତ୍ତି ଆମେ କଲୁ ଦୁଇଜଣ

ଶେଷଥର ପାଇଁ ଜାଲ କରିବୁ କ୍ଷେପଣ।

ଏଥର ମାମୁଁ ଯେମିତି ଯୁଦ୍ଧ ସେନାପତି

ଫିଙ୍ଗିଲେ ଜାଲକୁ ଦେଇ ସମସ୍ତ ଶକତି।

ଜାଲକୁ କୂଳକୁ ଯେବେ ଅଣାଗଲା ପୁଣି

ଲାଗିଥିଲେ ଚାରିଗୋଟି ସମୁଦ୍ର ଗାଆଣି।

ଚେହେରାଟି ଥିଲା ତାଙ୍କ ଏତେ ସାନ ସାନ

ପୁଣି ଜାଲ ଫିଙ୍ଗିବାକୁ ହେଲା ଆମ ମନ।

ବହୁବାର ଫିଙ୍ଗି ଜାଲ ହୋଇଲୁ ନିରାଶ।

ଘରକୁ ଆସିଲୁ ଧରି ଚାରିଗୋଟି ମାଛ।

ମାମୁଁଙ୍କ ନିର୍ଦ୍ଦେଶେ ହେଲା ମାଛ ତରକାରୀ

ଚାରିଟା ମାଛରୁ ଗୋଟେ ଥିଲାତ ମୋହରି।

ମୋତେ ଛାଡିଦେଲେ ମାମୁଁ ଘରେ ସାତ ଜଣ

ମାଛ କେତେ କେ ଖାଇବ ଛିଡୁନି ହରଣ।

ମୁଁ ଖାଇ ଚାଲିଥାଏ ସେ ମାଛ ତରକାରୀ

ଝୋଳ ଟିକେ ବେଶି ନେଇ ମାଛ କମ୍ କରି।

ତେଣେ ଭାଇମାନଙ୍କର ଅଘୋଷିତ ଯୁଦ୍ଧ

କେ କାହାର ମାଛ ନେଲା ମୋତେ ତା ଦୁର୍ବୋଧ୍ୟ।

ମନେ ଭାବୁଥାଏ କେଡେ ସ୍ବାର୍ଥପର ମୁହିଁ

ସିଂହ ଭାଗ ମାଛ ମୁଁ ଦେଇଥିଲି ଖାଇ।

ମାମୁଁ ଘରେ ଭଣଜା ଯେ ଅଟେ ମହାରାଜା

ଖାଇ ବାକୁ ମିଳେ ପୁଣି ନ ତିଅଣ ଭଜା।

ସେ ଦିନର ବର୍ଷା ରାତି ଭୁଲିବାର ନାହିଁ

ସମୁଦ୍ର ବହୁତ କିଛି ଦେଲା ଯେ ଶିଖାଇ।

ମାଛ କେତେ ଧରୁ ଆମେ ତା ବକ୍ଷରୁ ପୁଣି

ସେ ଦିନ ଆମ ଗର୍ବ ତା ତରଙ୍ଗ ରେ ହାଣି।

ଶିଖାଇଲା ପରିସ୍ଥିତି ନେଇ ବଞ୍ଚିବାରେ

ଆନନ୍ଦ ମିଳଇ କେତେ ସ୍ବଳ୍ପେ ବଞ୍ଚିବାରେ।

ସେଦିନ ମୁଁ ଭାବୁଥିଲି ସମୁଦ୍ର ର କଥା

ଅମାପ ଶକ୍ତି ଥାଇବି ମଉନ ସର୍ବଦା।

ସେ ଦିନ ର ବର୍ଷାରାତି, ସମୁଦ୍ର ଓ ମାଛ

ଏବେ ଭାବିଦେଲେ ଲାଗେ ସେ ସ୍ମୃତି ସତେଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics