ସବୁଜିମାର ସ୍ବର
ସବୁଜିମାର ସ୍ବର
ମୋର ପାଇଁ ଏହି ଧରଣୀ ରାଣୀଟି
ଦିଶେ ଏତେ ମନୋହର
ମୋହର ଅଭାବେ ବିବର୍ଣ୍ଣ ବିଦୀର୍ଣ୍ଣ
ଜରାଜୀର୍ଣ୍ଣ ତା ଶରୀର ।
ମୋର ପାଇଁ ସିନା ସୁମଧୁର ଗୀତ
ବସନ୍ତେ ଗାଏ କୋକିଳ
ମୋର ପାଇଁ ସିନା ପଞ୍ଚମ ତାନରେ
ବୀଣା ବଜାଏ ଭ୍ରମର ।
କେତେ ପଶୁ ପକ୍ଷୀ କୀଟ ପତଙ୍ଗାଦି
ସରିସୃପ ମୋ ଅତିଥି
ମୋହର ଅଭୟ ପଣତର ତଲେ
ଖୁସିରେ ବାସ କରନ୍ତି ।
ଭୋକିଲାଙ୍କ ପାଇଁ ରଖିଛି ମୁଁ ଖାଦ୍ଯ
ରୋଗୀଙ୍କ ପାଇଁ ଔଷଧ
ଅମାପ,ଅତୁଳ ଅଟେ ମୋର ଦାନ
କିଏ କଳନା କରିବ ।
ମୋହର ଖୁସିରେ ଉତ୍ତମ ବରଷା
ମୁଁ ରାଗିଲେ ଅନାବ୍ରୁଷ୍ଟି
ତା ସହିତ ପ୍ରାକ୍ରୁତିକ ବିପର୍ଯ୍ଯୟ
କରି ନାଶିପାରେ ସୃଷ୍ଟି ।
ସବୁ ଜାଣିଶୁଣି ମଣିଷ ବାପୁଡ଼ା
ନିଜ ସ୍ବାର୍ଥେ ହୋଇ ଅନ୍ଧା
ଦୁହିଁଦୁହିଁ କ୍ଷୀର ଖାଇବା ବଦଳେ
କାଟି ଦେଉଛି ମୋ ପହ୍ନା ।
ଖଣିଜ ପଦାର୍ଥ ଉତ୍ତୋଲନ ଆଉ
କଳକାରଖାନା ପାଇଁ
ଜଙ୍ଗଲକୁ କାଟି ପଦା କରୁଅଛି
ଆଗ ପଛ ଚିନ୍ତା ନାହିଁ ।
ସବୁଜିମା ନଷ୍ଟ କରି ଚାଲିଅଛି
ସମୟ ଆସିବ ଦିନେ
ଅମ୍ଳଜାନ ପାଇଁ ହେବ ହନ୍ତସନ୍ତ
ବିଶୁଦ୍ଧ ପବନ ବିନେ ।
ପାଣି ଯେଉଁପରି କିଣି ପିଉଅଛ
ପବନ ଦିନେ କିଣିବ
ସେ ଦିନ ମଣିଷ ମନେ ପକାଇଣ
କଲା କର୍ମକୁ ନିନ୍ଦିବ ।