ସବୁଜ ସ୍ପର୍ଶ
ସବୁଜ ସ୍ପର୍ଶ
ସୁତିବ୍ର ନିଦାଘ ତାପେ ଶୁଷ୍କ ମରୁସମା
ଅବନୀରେ ମୌସୁମୀର ପରଶେ ସୁଷମା ।
ଦିଶଇ ଧରଣୀ ସତେ କି ସବୁଜ ସାଜେ
ଅନନ୍ୟା ଓ ଅପରୂପା ବେଶ ବାସେ ରାଜେ ।
ସୁକୋମଳ କିଶଳୟ ଓ ଚାରୁ ପଲ୍ଲବେ
ମଣ୍ଡିତ। ମେଦିନୀ ସାଜେ ମଧୁ ମୟୀ ଏବେ ।
ସବୁଜିମା ପରଶ ରେ ଭରା ଧରା ଶୋଭା
ଦିଶେ କି ଲଳିତ ରମ୍ୟ କମନୀୟ ବିଭା ।
ରଜ ସଂକ୍ରାନ୍ତି ରେ ସ୍ନିଗ୍ଧ ବାରି ପାତ ଫଳେ
ସବୁଜ ବରଣି ଶୋଭା କ୍ରମେ କ୍ରମେ ଧୀରେ ।
ପ୍ରକଟିତ ହୋଇ ବେଗେ ପ୍ରସାର ଲଭଇ
ରୁକ୍ଷ ଶୁଷ୍କ ତରୁ ତୃଣ ପଲ୍ଲବି ଉଠଇ ।
ଜଙ୍ଗଲ କ୍ଷେତ କେଦାର ପ୍ରାନ୍ତର ଏ କାଳେ
ଶିଳ୍ପୀର ସବୁଜ ସ୍ପର୍ଶ ଅନୁଭବ ଆଣେ ।
ଆଙ୍କିଛି ଅବାକେ କମ ହରିତ ବରଣେ
ଚିତ୍ରିତ ଶ୍ୟାମଳ କାନ୍ତି ନାନା ଭାବ ବୁଣେ ।

