ସବୁ ତୁମ ପାଇଁ
ସବୁ ତୁମ ପାଇଁ
ତୁମ ପାଇଁ ପ୍ରଭୁ ମନ ମନ୍ଦିରରେ
ଥାପି ହୃଦ ସିଂହାସନ
ଚାହିଁ ବସିଅଛି ତୁମରି ପଥକୁ
ଆସିବ ପରାଣ ଧନ।
ତୁମେ ମୋ ଜୀବନ ହୃଦୟ ସ୍ପନ୍ଦନ
ଆଶାର ଆଲୋକ ଜ୍ୟୋତି
ଆସ ଆସ ପ୍ରଭୁ ଚାହିଁ ରହିଛି ମୁଁ
ଦେଖି ପାଇବି ମୁକତି
ସଜାଇ ରଖିଛି ନୟନର ନୀର
ଧୋଇବି ତୁମ ପୟର
ଭକ୍ତି ଚନ୍ଦନରେ ଶ୍ରୀଅଙ୍ଗ ଲେପିବି
ଶ୍ରଦ୍ଧାର କୁସୁମ ହାର।
ପିତ ବସନର ପାଟ ପତନୀ କୁ
ରଖିଛି ତୁମରି ପାଇଁ
ଅତି ଶରଧାରେ ଶ୍ରୀଅଙ୍ଗରେ ତବ
ମୋ ହସ୍ତେ ଦେବି ପିନ୍ଧାଇ।
ଟିପି ଟିପି କରି ଗୋପୀ ଚନ୍ଦନ ଓ
ଗୋରଚନା ଚିତା ଦେବି
ମସ୍ତକ ଉପରେ ମୟୂରର ଚୂଳ
ଅତି ଯତ୍ନରେ ଖୋସିବି।
ଦୟଣାର ଚୂଳ ତୁଳସୀ ମାଳରେ
ଅତି ସୁନ୍ଦର ଦିଶିବ
ମଲ୍ଲି ଫୁଲ ମାଳ ଗୁନ୍ଥି ବାନ୍ଧିଦେବି
ମହମହ ବାସୁ ଥିବ।
ଅପୁର୍ବ ସୁନ୍ଦର କମନୀୟ କାନ୍ତି
ଯତି ମତି ଭୁଲା ରୁପ
ନୟନ ପୁରାଇ ଦେଖିବି ତୁମକୁ
ଖଣ୍ଡି ଯିବ ସବୁ ପାପ।
ନୁହେଁ ମୁହିଁ ରାଧା ନୁହେଁ ମୀରା ବାଇ
ଅବା ଶ୍ରମଣା ଶବରୀ
ଏତେ ପୁଣ୍ୟ ନାହିଁ ତଥାପି ଭାବୁଛି
ଦେଖିବି ରୁପ ତୁମରି।
କାମନା ବାସନା କର୍ପୁର ଆଳତି
କରି ଲଭିବି ସନ୍ତୋଷ
ଆଶା ବିଶ୍ଵାସରେ ଚାହିଁ ରହିଅଛି
କରିବ ନାହିଁ ନିରାଶ।।
