ସ୍ବର୍ଗୀୟ ବନ୍ଧନ,ଶୂନ୍ୟ ନାମାଙ୍କନ
ସ୍ବର୍ଗୀୟ ବନ୍ଧନ,ଶୂନ୍ୟ ନାମାଙ୍କନ
ଶରଦ ପ୍ରତ୍ୟୁଷ ପ୍ରଦୋଷ ଅଥବା
ପାର୍ବଣ ତିଥିର
ପୁଣ୍ୟ ପର୍ବରେ
ହଜିଗଲେ ଆମେ ଶାରଦୀୟ ଲଗ୍ନେ
ଜଗଜ୍ଜନନୀଙ୍କ
ସ୍ତୁତି ଅର୍ଘ୍ୟରେ
ବନ୍ଧୁ ପରିଜନ ଆତ୍ମ ଅଭ୍ୟର୍ଥନା
ଅତିଥି ସତ୍କାରେ
ବିଭୋର ତୁମେ
ମୁଁ ବି ବିକ୍ଷିପ୍ତ ସମୟ ସଂକ୍ଷିପ୍ତ
ହଜିଗଲି ପ୍ରିୟା
ଅଦ୍ଭୁତ ଲଗ୍ନେ
ଭକ୍ତି ବାଢ଼ୁଥିଲି ଜନନୀ ଚରଣେ
ଭିକ୍ଷା ଥିଲା ତୁମ
କଲ୍ୟାଣ ପାଇଁ
ଗାୟତ୍ରୀ ମନ୍ତ୍ରର ଛନ୍ଦେ ଛନ୍ଦେ ରହି
ବାର୍ତ୍ତା ବିନିମୟ
ହେଲା ତ ନାହିଁ
ଶବ୍ଦ ବିନିମୟ ନ ହେଲା ତ ନାହିଁ
ଭାବ ବିନିମୟେ
ବିରତି କାହିଁ
ପ୍ରତିଶୋଧ ନେବା ସମୟ ସୁଅରୁ
ଏମିତି ଭାବନା
ମନରେ ନାହିଁ
ମୋ' ଜୀବନ ବରଂ ବ୍ୟଞ୍ଜନ ମାଳାର
ବର୍ଗ୍ୟ ବା ଅବର୍ଗ୍ୟ
ପ୍ରତିଟି ବର୍ଣ୍ଣ
ତୁମେ ମୋ' ପ୍ରାଣର ସ୍ୱୟଂ ସ୍ୱର ବର୍ଣ୍ଣ
ତୁମ ବିନା ମୋର
ଭାବ ବିବର୍ଣ୍ଣ
କିଛି କ୍ଷଣ ସିନା ନୀରବି ଯାଇଛି
ପର୍ବ ତତ୍ପରତା
ଉତ୍ସାହ ଆଗେ
ତୁମ ସଙ୍ଗୀତରେ ଝଙ୍କୃତ ଝଙ୍କାର
ନିଃଶବ୍ଦେ ଶୁଭୁଛି
ନିଭୃତ ଭାଗେ
ସେ କେଉଁ ଲଗ୍ନରେ କ୍ଷଣିକ ସଂଲଗ୍ନେ
ସେଦିନ ମଧ୍ୟାହ୍ନେ
ଅଳ୍ପ କଥାରେ
ବିଶ୍ୱାସ ନିଃଶ୍ୱାସ ଭରସା ଭିତରେ
ଶାଶ୍ୱତ ସମ୍ପର୍କ
ଆମ ଭିତରେ
ଏତେ ମଧୁରତା ଏତେ ବ୍ୟାପକତା
ନିଃସ୍ୱାର୍ଥ ଭିତ୍ତିର
ସୁସ୍ଥ ସମ୍ପର୍କ
ଅଳ୍ପ ନୀରବତା କଷ୍ଟ ଦେଇଥାଏ
ବିଚିତ୍ର ତଥାପି
ସତ୍ୟ,ବ୍ୟାପକ
ଜୀବନଟା ସାରା କପଟ ଛଳନା
ଘୃଣା ପ୍ରତାରଣା
ନିନ୍ଦା ବଜାର
ଅସତ୍ୟ ସହରେ ସତ୍ୟର ସନ୍ଧାନ
ତୁମଠୁ ପାଇଲି
ଦିବ୍ୟ ସମ୍ଭାର
ପ୍ରୀତି କ'ଣ ଖାଲି ଦେହ ଦାହ ପାଇଁ
ଦେବା ନେବା ପଣେ
କି ତୁଳନୀୟ
ଅମୂଲ୍ୟ ସେ ଭାବ ଅତୁଳ ତା' ରାଗ
ନିଃସ୍ୱାର୍ଥ ନିଃସ୍ୱାର୍ଥ
ନିଷ୍ଠା,ସ୍ବର୍ଗୀୟ
ଆମ ଏ ବନ୍ଧନ ଶୂନ୍ୟ ନାମାଙ୍କନ
ତଥାପି ପର୍ଯ୍ୟାପ୍ତ
ଫୁଲ ପାଖୁଡା
ପ୍ରତି ପାଖୁଡ଼ାର ସୁରଭି ରେଣୁରେ
ସିଦ୍ଧ ପ୍ରତିଶୃତି
ଭ୍ରୁଣ ସଜଡା
ପାର୍ବଣ ଋତୁ ତୁ ସୌଭାଗ୍ୟ ଶାଳିନୀ
ପ୍ରହର୍ଷ ପ୍ରହୃଷ୍ଟ
ପୁଣ୍ୟ ପ୍ରତୁଳ
ଭିଜେଇଦେ ଥରେ ମୋ' ପ୍ରିୟା ପଣତ
ଢାଳିଦେଇ ମଧୁ
ଶ୍ରଦ୍ଧାର ଜଳ
ନିର୍ବାକ୍ ରଜନୀର ନିସ୍ତବ୍ଧ ପ୍ରହରେ
ପ୍ରାର୍ଥନା କରୁଛି
ମୋ' ପ୍ରିୟା ପାଇଁ
ସବୁ ସ୍ବପ୍ନ ତା'ର ସାକାର କର ମା'
ସିଦ୍ଧି ଲାଭ କରୁ
ଶ୍ରୀପଦା ହୋଇ
