ସ୍ବପ୍ନ
ସ୍ବପ୍ନ
ନୀଳ ଆକାଶରେ ଜହ୍ନ ଦେଖାଦେଲେ,
ଶୋଇ ଯାଏ ସାରା ସହର.
ଚିକ୍ ମିକ୍ ତାରାଫୁଲର ହସରେ,
ନିସ୍ତେଜ ହୁଅଇ ଶରୀର ।
ଚୁପି ଚୁପି ଆସୁ ସପନ ସୁନ୍ଦରୀ,
ତନ୍ଦ୍ରାଭରା ନୟନରେ.
ସାତ ସାଗରର ଗଭୀରତା ମଧ୍ୟୁ ,
ସ୍ବପ୍ନ ଆସୁ ଆଖିତଳେ ।
ମୋହିନୀ ଫରୁଆ କାଉଁରୀ ପରଷେ,
କୁହୁକ ପସରା ଧରି.
ରଜନୀଗନ୍ଧାର ମହ ମହ ବାସେ,
ଆସୁ ଗୋ ସ୍ବପ୍ନସୁନ୍ଦରୀ ।
ଅଜଣା ରାଇଜେ ବୁଲାଇ ନେଉ ତୁ,
ରଙ୍ଗୀନ ପରୀ ମହଲେ.
ବାଟବଣା ହୁଏ ବାସ୍ତବ ଠିକଣା,
ତୋ ସହିତ ପ୍ରୀତି ହେଲେ ।
ଚନ୍ଦ୍ରମାଳା ପୁରେ ଚମ୍ପକ ବରଣା,
ଓଠକୁ କରିଛ ମିଠା.
ମୋ ଓଠ ଫିଟେନା ତୁମ ସମ୍ମୋହନ,
କରେ ମୋତେ ହଟହଟା ।
ନାଚିଯାଏ ମୋର ମନର ଆଙ୍ଗନ,
ତତେ ଟିକେ ଦେଖିଦେଲେ.
ମଧୁର ରାଗିଣୀ ଗାଏ ମୁଁ ଚକୋରୀ,
ତୁ ମତେ ଛୁଇଁଦେଲେ ।
ସ୍ବପ୍ନ ଗୋ ତୁମେ କେବେ କ୍ଷଣପ୍ରଭା,
କେବେ ମଧୁବୋଳା ଜୋଛନା.
କେବେ ହାସ୍ୟମୟୀ ନିର୍ଝରିଣୀ ତୁମେ,
କେବେ ଦିଗହଜା ଠିକଣା ।
କେବେ ଶରତର ଶିଶିର ପବନ,
କେବେ ରଙ୍ଗ ମଉଛବ.
ଫଗୁଣ ରଙ୍ଗର ପିଚକାରୀ ତୁମେ,
ଚଇତି ବାଆର ସୌରଭ ।
ଶ୍ରାବଣ ରାତିର କମ୍ପନ ତୁମେ,
ପିୟାସୀ ପ୍ରାଣର ମୂର୍ଚ୍ଛନା.
ଅନ୍ଧାର ରାତିର ଉଷୁମ ଶେଯରେ.
ଚାନ୍ଦିନୀ ରାତିର କଳ୍ପନା ।
ସ୍ପନ୍ଦନରେ ମୋର ଗାନ୍ଧାରର ସ୍ୱର.
କରେ ଖାଲି ଅନ୍ୱେଷଣ.
ଅବାସ୍ତବ ତୁମ ପ୍ରୀତି ମାଦକରେ,
କରି ଦିଅ ଲହୁଲୁହାଣ ।
ମିଛ ମରୀଚିକା ଦୂର ଦିଗନ୍ତରେ ,
ଦେହେ ଜାଳି ନିଆଁ ମୋର.
ମନ ଆକାଶର ଶୂନ୍ୟ ନୀଳିମାରେ,
ସ୍ବପ୍ନ ରାଣୀ ତୁମ ଘର ।
ଅଧା ବାଟେ ଛାଡି ଚାଲିଯାଅ ବୋଲି,
ତୁମେ ପ୍ରତାରଣା କନ୍ୟା.
ମଧୁମଖା ସ୍ବପ୍ନ କରିନିଅ ବଶ,
ଛୁଟାଇ ପ୍ରେମର ବନ୍ୟା ।
