ସ୍ବପ୍ନ ତୁମେ କାହିଁ ଆସ ଶୁଷ୍କ ଇଲାକାକୁ
ସ୍ବପ୍ନ ତୁମେ କାହିଁ ଆସ ଶୁଷ୍କ ଇଲାକାକୁ
ଆରବ ସାହାରା ପ୍ରାନ୍ତ ଥିଲା ଯାହା ମରୁଭୂମି ଶୁଷ୍କ
ବିକଶିତ ପୂର୍ଣ୍ଣ ଏବେ ଆଶାତୀତ ହୋଇଛି ଉନ୍ନତ,
ନଦନଦୀ ବନ ଗିରି ଉପତ୍ୟକା ଉର୍ବର ଭୂମି ପ୍ରଶସ୍ତ
ଲାଗଇ ବଡ ବିଚିତ୍ର ଉତ୍କଟ ଦାରିଦ୍ର୍ଯ ଗ୍ରସ୍ତ ପ୍ରବୁଦ୍ଧ ଭାରତ ।
ହଜାଇ ନିଜ ଅସ୍ମିତା ନିଷ୍ପେସିତ ସ୍ବାଭିମାନୀ ଜାତି
ଚାଖଣ୍ଡକ ପେଟ ପାଇଁ ଦହଗଞ୍ଜ ଦୁଃସହ ଜୀବନ,
ଅନ୍ନଛତ୍ରେ ହାତପାତି ବିକଳରେ ମାଗଇ ସାହାରା
ଘରଛାଡି ଯାଏ ଦୂର ପ୍ରବାସରେ କାଟଇ ଯୌବନ ।
ଗ୍ରାସିଯାଏ ଜନମନ ରାହୁ କେତୁ ଭ୍ରଷ୍ଟାଚାର ଅହଂକାର
ଛଳେ ନୀଚ୍ଚ ପ୍ରପଞ୍ଚକ ଦୁରାଚାରୀ ଭୟ ଓ ଆତଙ୍କେ,
ପରିପୂର୍ଣ୍ଣ ସବୁ କିଛି ଥାଇ ସୁଦ୍ଧା ନିରୁପାୟ ପନ୍ଥା
କିଂକର୍ତ୍ତବ୍ଯ ହୀନିମାନ ରଙ୍କ ପରି ଜାତି ଲୋଟେ ପଙ୍କେ ।
ହଜାଇ ପାଉନି ଖୋଜି ସତେ ଯାଇଛି କ୍ଲୀବ ପାଲଟି
ସମୁଜ୍ଜ୍ୱଳ ବୀର ଜାତି ଗୌରବ ତା ସ୍ବର୍ଣ୍ଣ ଅଧ୍ଯାୟକୁ,
ଖୋଜିବୁଲେ ଭ୍ରମି ଚଉଦିଗ ସୁଗନ୍ଧ କସ୍ତୁରୀ ମୃଗ
ଅକାରଣ ସ୍ବପ୍ନ ତୁମେ କାହିଁ ଆସ ଶୁଷ୍କ ଇଲାକାକୁ ।
ହେଉଅଛି ଦିନରାତି ନିତି ସତ୍ଯ ଯଦି ସୂର୍ଯ୍ଯ ଚନ୍ଦ୍ର
ଆକାଶରେ ଯେବେତକ ହେଉଥିବେ ଉଦୟ ଓ ଅସ୍ତ,
ପୁନଃ ଦିନେ ହେବ ଉଦ୍ଭାସିତ ସୁସଂସ୍କାର ସୁସଂହତି
ଗିରି ଲଙ୍ଘି ପଙ୍ଗୁ ଜାତି ସ୍ମରିବ ପୂର୍ବ ଐତିହ୍ଯ ହେବ ସୁପ୍ରଭାତ ।
------
