ଋଣୀ କରିଦେଲ ମୋତେ
ଋଣୀ କରିଦେଲ ମୋତେ


ଭୁଲି ପାରୁନାହିଁ ତୁମରି ସାହାଯ୍ୟ
ଆଖିରେ ନାଚୁଛି ମୋର
ଆଖି ବୁଜି ଦେଲେ ଗୋଟି ଗୋଟି କରି
ଭାସି ଆସେ ଦୃଶ୍ୟାନ୍ତର ।
ଯୁଆଡେ ଗଲେବି ଯୋଉଠି ଥିଲେବି
ରହି ଅଛ ପାଖେ ମୋର
ବିପଦ ପଡିଲେ ହାରି ଯିବା ବେଳେ
ବଢାଇ ଦେଉଛ କର ।
ଚଲାପଥେ ମୋର କଣ୍ଟା ଆସିଗଲେ
ଫୁଲର ବିଛାଅ ଭାର
ଆଘାତ ଟିକିଏ ଲାଗି ଗଲେ ମୋଠି
ଝରେ ତୁମ ରକ୍ତ ଧାର ।
ନିଜେ ନିନ୍ଦା ଅପବାଦ ସହି ତୁମେ
ସମ୍ମାନ ରଖିଛ ମୋର
ଲୁହ ପୋଛି ଦେଇ ଓଠେ ହସ ଭରି
ପୋଛିଛ କଳଙ୍କ ଗାର ।
ଭୁଲାଇ ଦେଇଛ ମନର ଯନ୍ତ୍ରଣା
ଛାଇ ପରି ରହି ମୋର
ହତାଶ ବେଳରେ ଭରସା ହେଇଛ
ଆଶ୍ରୟ ଦେଇ ପାଖର ।
ତୁମ ଭରସାରେ ବାଟ ମୁଁ ଚାଲୁଛି
ଟିକେ ନାହିଁ ମୋର ଡର
ଏ ଜୀବନ ମୋର ଅର୍ପଣ କରୁଛି
ଆଜିଠୁ ସିଏ ତୁମର ।
ଏତେ ଋଣୀ ତୁମେ କରି ଦେଇଅଛ
ଅଛି ମୋର ଶୁଝିବାର
ଏ ଦୁନିଆ ପଛେ ଯାହା କହୁଥାଉ
ହେବି ମୁଁ ନିଶ୍ଚେ ତୁମର ।
ନିନ୍ଦା ଅପବାଦ ଯେତେ ଯିଏ ଦେଉ
ଶୁଣିବନି କର୍ଣ୍ଣ ମୋର
ବଧୂ ନ ହେଲେ ବି ବନ୍ଧୁଟିଏ ନିଶ୍ଚେ
ହେଇ ରହିବି ତୁମର ।
ଆମ ଏ ସମ୍ପର୍କ ରହିବ ସ୍ଥାୟୀତ୍ବ
ଳହିଥିବ ନିରନ୍ତର
ଭରସା ବିଶ୍ୱାସ ଅତୁଟ ରହିବ
କଥା ଦେଲି ଆଜି ମୋର ।