ସ୍ବପ୍ନ ମୋର
ସ୍ବପ୍ନ ମୋର
କେତେ କେତେ ସ୍ବପ୍ନ ଦେଖିଥିଲି ଯାହା ,ଥିଲା ମନରେ ,
କିଛି ଶୋଇଥିଲା ,କିଛି ଚେଇଁଥିଲା ପ୍ରହେବ ଆଶାରେ |
ଜୀବନର ଏହି ଅଙ୍କ ବଙ୍କା ଯେତେ ରାସ୍ତାରେ ଚାଲୁ ଚାଲୁ ,
ମନ କହେ ପାଦକୁ ଚାହିଁ ,ଥକି କାହିଁ ଏବେ ରହିଗଲୁ?
ପାଦ ବଡ଼ ବିକଳରେ ଚାହିଁ ,କହେ ମନକୁ ଦୁଃଖରେ ,
ଜାଣି ନଥିଲି ,ଚାଲୁ ଚାଲୁ ଆହତ ହେବି କଣ୍ଟାରେ |
ଏବେ ଲାଗିଛି ମୋ ଠାରେ ,ବହୁଛି ରକ୍ତର କେତେ ଧାର ,
ଥକି ନାହିଁ ମୁଁ ଏବେ ,ହେଉଛି ଯନ୍ତ୍ରଣାରେ ଥରହର |
ସେବେ ହୃଦୟ ସବୁ ଶୁଣୁଥିଲା ,ସବୁ ଦେଖୁଥିଲା ଲୟରେ ,
ନିଜକୁ ଠାରେ ଦୋହଲାଇ ଦେଇ ,ରହିଗଲା ସିଏ ଭୟରେ |
ଭୟ ଉଦବେଗରେ ,ହୃଦୟ ସ୍ପନ୍ଦନ ଧୀରେ ବଢିବାକୁ ଲାଗିଲା ,
ତେବେ ଥୟ ହେଲା ,ଯେବେ ପାଦକୁ ଥାମିବା ଦେଖିଲା |
ମନ ଅଵିଵେକୀ, ଅବୁଝା ହୋଇ ଏବେ ସିଏ କହିଲା ,
ବେଗି ବଢ ପାଦ ,ସ୍ବପ୍ନ ମୋର ଅଥୟ ହେଲା |
କର୍ମ ପାଇଁ ସତେ ,ପାଦେ ଚାଲିବାକୁ ହେବ ଜୀବନରେ ,
ସ୍ବପ୍ନ ମୋର କହେ ,କର୍ମ କର ଉଚିତ ପଥରେ |
ତେବେ କାହିଁକି କେଉଁଠି ଥିଲା ଝଡ଼ ଝଞ୍ଜା ଲୁଚି ,
ମାଡି ଆସିଲା ବେଗରେ ,ଏବେ ସ୍ବପ୍ନ ମୋର କହୁଛି |
ଯେତେ ସବୁ ଦୁଃଖ ଯନ୍ତ୍ରଣା ,ହେଲେ ତାର ସାଥି ,
ତାଙ୍କୁ ଦେଖି କହେ ସ୍ବପ୍ନ ମୋର ,ଫାଟିଯାଏ ଛାତି |
ଏକ ସଙ୍ଗେ ସବୁ ମିଶି ଲଗାଇଲେ ଅଗ୍ନି ବେଦନାର ,
ଜଳିପୋଡ଼ି ମନ ପାଉଁଶ ହେଲା ,ଦେଖିଲା ସ୍ବପ୍ନ ମୋର |
ହୁତୁ ହୁତୁ ହୋଇ ସବୁ ଜଳିଗଲା ମନ ଅଗଣାରେ ,
ସ୍ବପ୍ନ ମୋର ରହିଗଲା ,ସେହି ସବୁର ପାଉଁଶ ତଳେ |
ସ୍ବପ୍ନ ମୋର କହେ ,ମରିନାହିଁ ସିଏ ,ମରିବ ନାହିଁ ,
ଖାଲି ସେହି ପୋଡା ପାଉଁଶ ,ବାଟ ଛାଡୁ ନାହିଁ |
ହୃଦୟ ବୁଝିଲା ,ସ୍ବପ୍ନ ମୋର ଚାହେଁ ପୂର୍ଣ୍ଣ ହେବାପାଇଁ ,
ନିଜକୁ ସମ୍ଭାଳି ମନ ସଫାକାଲ ,ରାସ୍ତା ଖୋଲିବା ପାଇଁ |
ଏବେ ସଫା ହୋଇଗଲା ଅଳିଆ ସବୁ ,ଏହି ମନରୁ ,
ସ୍ବପ୍ନ ମୋର କହେ ,କାହିଁ ଏବେ ଡେରି କରୁ ?
ସାଜିଛି ସ୍ବପ୍ନ ମୋର ଏବେ ,ମନରେ ନୂଆ ହୋଇ ,
ପୂର୍ଣ୍ଣ ହେବ ସିଏ ,କର୍ମର ଆଶା ଭରସା ପାଇ |