STORYMIRROR

Sambit Srikumar

Tragedy Inspirational

4  

Sambit Srikumar

Tragedy Inspirational

ସ୍ବାଧୀନତାର ଇସ୍ତାହାର

ସ୍ବାଧୀନତାର ଇସ୍ତାହାର

2 mins
1.0K


ବେଳେ ବେଳେ ପ୍ରଶ୍ନଟିଏ ଆପଣାକୁ ପଚାରେ

ମୁଁ କି ସ୍ବତନ୍ତ୍ର - ସ୍ବାଧୀନ - ସ୍ବାବଲମ୍ବି ସତରେ

ମୋ ପ୍ରିୟ ଦେଶର ସ୍ବାଧୀନତା ପ୍ରାପ୍ତିର

ଦୀର୍ଘ ସପ୍ତ ଦଶନ୍ଧିର ପୂର୍ତ୍ତି ପରେ?

ହଁ! ଏଇଟା ତ ହିଁ ଚାକ୍ଷୁଷ ପ୍ରମାଣ

ସମ୍ବଳିତ ନିରାଟ ସତ୍ୟ

କଡି - ବେଡି କି ଶିକୁଳିରେ

ବନ୍ଧାପଡ଼ିନି ମୋ ହାତ ପାଦ

ନୁହେଁ ବି ମୁଁ କାରାବଦ୍ଧ

ମୁକ୍ତ ପକ୍ଷୀଟିଏ ସମ

ଉଡୁଅଛି ସାରା ଜଗତ।

ତଥାପି କେଜାଣି କାହିଁକି

ମୋତେ ଲାଗୁଛି ଯେମିତି ଆଜିକାଲି

କାହାରି ଅଦୃଶ୍ଯ ଅଥଚ ତୀକ୍ଷ୍ଣ ଦୃଷ୍ଟି

ମୋ ଦେହର ଦେହଳୀ ଗୃହର ଚୌହଦିରେ

ଯାଉଅଛି ଅନବରତ ପହଁରି

ଭେଦି ଯାଉଅଛି ପରସ୍ତ ପରସ୍ତ ଆବରଣ

ନିରେଖି ତୋଳିବାକୁ ମୋ' ନଗ୍ନ ଚିତ୍ରପଟ୍ଟ

ସତେ ଅବା କିଏ ଜଣେ ବରାବର

ମୋର ପ୍ରତିଟି କ୍ଷଣର ରଖୁଛି ଖବର

ଇଏ ନୁହେଁ କି ରାଷ୍ଟ୍ର ପ୍ରାୟୋଜିତ

ଅତ୍ଯାଧୁନିକ ପ୍ରଯୁକ୍ତିଗତ ଗୁଇନ୍ଦାଗିରି?

ମୋହର ପ୍ରତିଟି ଶ୍ବାସ ଯେମିତି

କାହାର ହାତର ଆଙ୍ଗୁଳିରେ ପରିଚାଳିତ

ସିଏ ଚାହିଁଲେ ହିଁ ମୁଁ ଜୀଇଁ ରହିବି

ସିଏ ନ ଚାହିଁଲେ ମୁଁ ମରିଯିବି

ଚାଲିଛି ଏଇ ବାଘବଜାରୀ ଖେଳ

ସ୍ବଚ୍ଛ ପାରଦର୍ଶୀ ଶାସନର ଆଢୁଆଳରେ

ନାଚି ତ ପାରିବି ନାହିଁ ତିଳେ ମୁହିଁ

ତାହାଙ୍କ ଇଙ୍ଗିତରେ ସାଜି ବଚସ୍କର

କ୍ରୀଡ଼ନକ ହୋଇ ଭରି ପାରିବିନି

ସମ୍ମତି ନିର୍ବିବାଦରେ ଆଖିବୁଜି

ସବୁ ଅନ୍ଯାୟ ଅନୀତି ଦୁର୍ନୀତିରେ

ପ୍ରୀୟାପ୍ରୀତି ତୋଷଣ ପକ୍ଷପାତିତାରେ।

ଅଘୋଷିତ ଜରୁରୀକାଳୀନ ପରିସ୍ଥିତିରେ

ଅଣନିଃଶ୍ବାସୀ ଆକ୍ତାମାକ୍ତା ମୋର ସତ୍ତା

ମୋ ଭଳି ଯେତେ ସ୍ବାଧୀନତା ଚେତା

ଅଖଣ୍ଡ ଅବିଶ୍ଵାସର ବାତାବରଣରେ

ଅହରହ ଭୋଗୁଛନ୍ତି ବାଛନ୍ଦର ଦଣ୍ଡ

ତୁଣ୍ଡି ବାନ୍ଧି ଆପଣାର ତୁଣ୍ଡରେ

ଭିନ୍ନ ମତ ପୋଷଣ ବିଡ଼ମ୍ବନାର କାରଣ

ଭୂଲୁଣ୍ଠିତ ଆଜି ମୋର ସ୍ବାଧିକାର

ସମ୍ବିଧାନ ପ୍ରଦତ୍ତ ବାକ୍ ସ୍ବାଧୀନତା

ଅପହୃତ ସାମନ୍ତବାଦର ଗୋଧୂଳିରେ

ବହୁମତର ବାହୁବଳରେ ନିରବି ଯାଏ

ପିଡିତ ନିଷ୍ପେଷିତ ଶୋଷିତର କ୍ଷୀଣ ସ୍ଵର।

ସତ କହିବା ଏଠି ଧର୍ତ୍ତବ୍ୟ ଅପରାଧ

ସତ୍ଯ ଉଦ୍ଘାଟନ କରିବା ଦେଶଦ୍ରୋହ

ଏକଛତ୍ରବାଦର ଲେଲିହାନ ଶିଖାରେ

ବଦଳି ଯାଉଛି ଦେଶପ୍ରେମର ସଂଜ୍ଞା

ପରିବର୍ତ୍ତନର ଅପରିବର୍ତ୍ତନୀୟ ନିୟମରେ

ଆଜି ପୁଣି ବଦଳି ଯାଏ ଲୋକଚରିତ୍ର

ଶାସକ ତନ୍ତ୍ରର ପ୍ରତିଶ୍ରୁତି ପୂର୍ଣ୍ଣ ଭାଷଣ

ପ୍ରତାରିତ ଶାସିତର ଆର୍ତ୍ତ ଚିତ୍କାର ମଧ୍ଯରେ

ବିଳପି ଉଠୁଛି ମହାର୍ଘ ସ୍ବାଧୀନତାର ଇସ୍ତାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy