ସାୟନ୍ତନ
ସାୟନ୍ତନ
ପଶ୍ଚିମରେ ଅସ୍ତ ହେଲେଣି ତପନ
ଆସି ହେଲା ସାୟନ୍ତନ ।
ବିହାୟସେ ଉଡ଼ି ଯାଆନ୍ତି ବିହଗେ
ସର୍ବେ ଆପଣା ଭୁବନ ।।
କର୍ମଜୀବୀ ଫେରେ ସ୍ଵକର୍ମ ସାରିଣ
କ୍ଳାନ୍ତ ଥାଏ କାୟା ତାର ।
ସନ୍ତତିକୁ ଦେଖି ସବୁ ଭୁଲି ଯାଏ
ତୋଳିନିଏ କାନ୍ଧେ ତାର ।।
ଗୋ ପଲ ଫେରନ୍ତି ହମ୍ବା ରାବ ଦେଇ
ଦାଣ୍ଡ ଧୂଳିକୁ ଉଡ଼ାଇ ।
ପୁଷ୍ପ ସଙ୍ଗେ ପ୍ରୀତି ତେଜିଣ ମଧୁପ
ସ୍ଵବାସକୁ ବାହୁଡ଼ଇ।।
ଦେବାଳୟେ ଶୁଭେ ଶଙ୍ଖ ଘଣ୍ଟ ଧ୍ଵନି
ଚଉରାରେ ଜଲେ ଦୀପ ।
ନାତି ନାତୁଣୀଙ୍କୁ ସାଥିରେ ବସାଇ
କହିଥାନ୍ତି ଆଈ ଗପ ।।
ଦେଖୁ ଦେଖୁ ଚତୁର୍ଦ୍ଦିଗ ଅନ୍ଧକାରେ
ଆସଇ ରଜନୀ ରାଣୀ ।
ମୁଦ୍ରିତ ନୟନେ ଶୟନ ଯାଆନ୍ତି
ବିଶ୍ବର ସକଳ ପ୍ରାଣୀ ।