ସାତଟି କବିତା
ସାତଟି କବିତା
କବିତା-1 ଅଳସୀ କ୍ଷେତ
କୁହୁଡି ଭିତରୁ ଡାକେ ଆଖି ଠାରେ,
ପୂର୍ବଦିଗରୁ ଉଇଁଲେ ତପନ,
ରାତିର ବିରସ ସରଇ ଏଠାରେ,
ନିତି ପ୍ରକଟ ହୁଏ ଜୀବନ
ହୋଇବ ଅତୀତ ମନେ ନ ପଡ଼ିବ,
ତୁମର ସେ ସହର ଜୀବନ,
ହାତ ଧରି ଥରେ ଯଦି ମାଡ଼ିଯିବ,
ବୁଲିବ ମୋର ହରିତ ବନ
ସଖା ତୁମେ ଦେଖ ଖୋଲିଣ ନୟନ,
ଏଠାରେ ଧରାର ସମ୍ମୋହନ,
ଶିଶିର ଚୁମିଲେ ତୁମର ବଦନ,
ଅନୁଭବ କର ସେ କମ୍ପନ
ପର୍ବତ ଅଧରେ ମେଘର ଚୁମ୍ବନ,
ସୃଜନ କଲେ ନୂଆ ସିଞ୍ଚନ,
ମେଦିନୀ ହସଇ ହୋଇଣ ପ୍ରସନ୍ନ
ବିଞ୍ଛାଡି ଏ ଜୀବନ୍ତ କଞ୍ଚନ
ମନ୍ତ୍ର ମୁଗ୍ଧ କରେ ମଗୁଶୁର ଦିନେ,
ପ୍ରଭାତେ ହୋଇଣ ସେ ଶୋଭନ,
ଅଳସୀର ରୂପ ଲାଖି ଗଲେ ମନେ
ଭୁଲିବ ତୁମେ ବି ତ୍ରିଭୁବନ
ଭାବରେ ପ୍ରବଣ ନର ସାଜେ ମୂକ,
ଭୁଲିଯାଏ ନିଜର ସ୍ପନ୍ଦନ,
ଏହାହିଁ ତ ଅଟେ ସରଗର ସୁଖ,
ଧରାରେ ସମୟର ଅଙ୍କନ
କବିତା-2 ଜଳ ପ୍ରପାତରେ ସ୍ନାନ
ନିର୍ଝରିଣୀ ଗୋ, କେଉଁ ପଥେ ଯାଅ,
ଚପଳା ସାଜି ପର୍ବତ ଦେଶେ,
ଆବେଗ କିଆଁ, ଟିକେ ଥମି ଯାଅ,
କରିବି ସ୍ପର୍ଶ, ମାତ୍ର ନିମିଷେ
ଅମୃତ ଢ଼ାଳି ସଂଚାର ଜୀବନ,
ତୁମେ ଗୋ ଜୀବନର ଆଧାର,
ସ୍ଵର୍ଗରୁ ତୁମ ହେଲେ ଆଗମନ,
ଧରଣୀ କରେ ନିଜ ଶୃଙ୍ଗାର
ତୁମ ସ୍ଵରରେ ଝଙ୍କୃତ ଯେ ବୀଣା ,
ତୁମେ ଅଟ ସୁର ର ଚିନ୍ତନ,
ମୋକ୍ଷ କେଉଁଠି ତୁମ ସ୍ପର୍ଶ ବିନା,
ତୁମ ବିନା କାହିଁ ଯେ ଜୀବନ
ପଥର ଦେହେ କରି ପଦାଘାତ ,
ଝରିଯାଅ ତୁମେ ଅବିରତ,
ଶାନ୍ତ କାନନେ ଗୁଣୁ ଗୁଣୁ ଗୀତ,
ଅଶାନ୍ତ ବଦନେ କର ଉତ୍ପାତ,
ତୁମ ଧ୍ଵନିରେ କମ୍ପଇ ଜଗତ,
ସୃଷ୍ଟି ହୋଇଲେ ପୁଣି ପ୍ରପାତ,
ତୁମ ରୂପର ଆଜି ମୁଁ ଆସକ୍ତ
ସିକ୍ତ ତୁମ ସ୍ପର୍ଶେ ତନୁ ମନ,
ପୁଲକିତ ଯେ ପ୍ରତି ବୁନ୍ଦା ରକ୍ତ,
ପ୍ରତି ରୋମକୁ ଚୁମେ କମ୍ପନ
କବିତା-3 ବିରହୀ ବିହଙ୍ଗ
ପୁର ପଲ୍ଲୀ ନାଚେ, ଚଇତି ସାଙ୍ଗରେ
ବସନ୍ତ ଢ଼ାଳେ, ଫୁଲର ପରଶ
ଉତ୍ସବ ଗୀତରେ ପଲାଶ ରଙ୍ଗରେ,
ସବୁରି ମୁଖ, ଦିଶଇ ସରସ
ମନ କିନ୍ତୁ କାନ୍ଦେ ବିରହ ଢ଼ଙ୍ଗରେ,
ଭରିଛି ଦେହେ, ପ୍ରେମର ବୟସ
କାନରେ ବାଜୁଛି ପକ୍ଷୀର କାକୋଳି,
ଆଉ କେହି ଶୁଣୁ ଅବା ନ ଶୁଣୁ
ଦେଖା ତ ଯାଉନି ରୂପ ତା' କି ଭଳି,
ତାହାର ନାମଟି କେହି ନ ଜାଣୁ
ପଥର ହୃଦୟ ଯାଉଛି ତରଳି,
ଭାଙ୍ଗେ ସପନ ଟିକେ ବୁଣୁ ବୁଣୁ
ତା'ର କଳରବେ କମ୍ପେ ଚଉଦିଗ,
ବେଦନାରେ ତା'ର ଏ ସ୍ଵର ଭରା,
କିଏ ତା'ର ସାଥି କେଉଁଟି ସରାଗ,
ଯାହା ବିନା ହେଲା ସେ ଦିଗହରା
ଏକା ତା'ର ମନେ କିଆଁ ଏ ଆବେଗ,
ଫଗୁଣର ରଙ୍ଗ ହସୁଛି ଧରା
କେଉଁଠି ଲୁଚିଛି ସବୁଜ ପତରେ,
କି ରଙ୍ଗ ନେଇଛି ବିଧିଠୁଁ ମାଗି
କାହାକୁ ଖୋଜୁଛି ପ୍ରଭାତ ପ୍ରହରେ,
ଗାଉଛି ଗୀତ ସିଏ କାହା ଲାଗି,
ସିନ୍ଦୁରା ଫାଟୁଛି ପୂରୁବ ନଭରେ,
ଗଲାଣି ସାରା ବନଖଣ୍ଡ ଜାଗି
କବିତା-4 ଶାଗ ବାଲିର ଭୋକ
ମେଲେଇ ପସରା ଆକୁଳେ ସେ ଚାହିଁ
ବସିଛି ଶାଗର ଡ଼ାଲା ଖୋଲି,
ଦୁଇ ଦିନ ହେଲା କିଛି ବିକା ନାହିଁ
ବାସି ହୋଇ ଗଲା ଶାଗ ବୋଲି
ଦିନ ସାରା ଆଜି ପାଇ ନାହିଁ କିଛି,
କରିଛି ପର ନିଜର ସହର,
ବିକିବାକୁ ବସେ ଯାହା ସେ ଆଣିଛି,
ଲାଗୁଛି ଅଧିକ ତା'ର ଦର
ଆଖିରେ ଲୋତକ ଦରଦ ଛାତିରେ,
ଗ୍ରାହକକୁ ସେ ଦେଉଛି ଚାହିଁ,
ପତି ତା ' ମରିଛି ବିଗତ ରାତିରେ,
ଦୁଇ ମୁଠା ଭଙ୍ଗା ଖୁଦ ପାଇଁ
ଶୋଇଲାଣି କୁଞ୍ଜ ହୋଇଲାଣି ସଞ୍ଜ,
ଆକାଶରେ ବୁଡ଼ିଲାଣି ରବି,
ଡ଼ାକିଲାଣି ତାକୁ ପୁଣି ତା'ର ଘର,
ଆଖିରେ ଭୋକର ସେହି ଛବି
ପୁଣି ଆଜି ସେହି ଘର ଲେଉଟାଣି,
ଜଗିକି ବସିଛି ବଉଳା ଗାଈ,
ଆଖିରେ ତାହାର କରୁଣ ଚାହାଣି,
ସେହି ଶୁଖା ଶାଗ ବିଡା ପାଇଁ
ଗାଈକୁ ଖୁଆଇ,ଦିଏ ସେ ବିଡ଼ାଏ
ବିଡ଼ାଟଏ କଢ଼େଇରେ ଥୋଇ,
ପେଟର ଭୋକ ଯେ ଜୀବନ ଛଡ଼ାଏ
ଶାଗ ଖାଏ ଶାଗବାଲି ହୋଇ
କବିତା-5: ମୁଁ ଆଜି ପ୍ରେମ କବିଟିଏ
ସମୟର ସାଥେ ଯାଯାବର ସାଜି
,ଭୁଲୁଥିଲି ନିଜର ସପନ
ଶୁଷ୍କ ମରୁ ପଥେ ତୁମେ ମେଘ ସାଜି,
ଭରୁଛ ପୁଣି ଆଶା ନୂତନ
ଭଲ ପାଇବାର ମାନ ପାରେ ବୁଝି,
ସିଏ ଖାଲି ରଖିପାରେ ମନ
ତୁମକୁ ହୃଦୟ ଦେଲା ପରେ, ଆଜି,
ବୁଝିବାକୁ ଲାଗିଛି ଜୀବନ
ଭଙ୍ଗା ହେଉ ପଛେ, ରଙ୍ଗ ଥାଉ ହଜି,
ରଖି ତ ନେଲ କରି ଯତନ
କ୍ଷୀଣ ହେଉ ପଛେ, ତୁମ ସାଥେ ମଜ୍ଜି,
ଶୁଣି ତ ପାରୁଛି ମୁଁ ସ୍ପନ୍ଦନ
କରିଅଛ ତୁମେ ମୋର ରୂପାନ୍ତର,
ସାଜିଅଛି ମୁଁହି ପ୍ରେମ କବି
ଚାରି ଆଡେ ଉଡ଼େ କଥା ମୋ ପ୍ରେମର,
ଚଉଦିଗେ ଦିଶେ ତୁମ ଛବି
ତୁମେ ଥାଅ ପାଶେ ଅବା ଯାଅ ଦୂରେ,
ଏମିତି ପ୍ରୀତି ଦେଇଛ ଜାଳି
ଦିନ ଦ୍ଵିପହରେ ରାତିର ଅନ୍ଧାରେ,
ଜଳୁ ଅଛି ସ୍ମୃତିର ଦୀପାଳି
କେବେ ଶବ୍ଦ ହଜିଯାଏ, କେବେ ପଦ,
ଝରେ କିନ୍ତୁ କଲମରୁ କାଳି,
କେବେ ଳୟ ଭୁଲିଯାଏ, କେବେ ଛନ୍ଦ,
ଲେଖିଯାଏ ମନ କଥା ଢ଼ାଳି
କବିତା 6: ଶୀତରେ ପ୍ରୀତିର ଆବେଗ
ବଦଳୁଛି ଋତୁ, ଥର ଥର ଦେହ
ହୃଦୟେ ତଥାପି ବଢେ କମ୍ପନ,
ଅଧା ଲେଖା ଏକ ପୀରତିରେ କଥା,
ଏ ଶୀତରେ କି ହୋଇବ ସମ୍ପନ ?
ତୁମ ରୂପ ରଙ୍ଗ ରୁମ ଆଖି ଭାଷା,
ତୁମର ସେ ଚୋରା ଚାହାଣି,
ଲାଗୁ ଅଛି ଆଜି, ଲେଖିଦେବି ମୁଁହି,
ତୁମ ସାଥେ ପ୍ରେମ କାହାଣୀ I
ଆଜି କିଛି ମନ କହୁଛି ତୁମକୁ,
କାହିଁକି କହିବାକୁ ଲାଜ ଲାଗେ ,
ତୁମକୁ ଆଖିରେ ରଖିଲେ କେମିତି
ନୂଆ ନୂଆ ସ୍ବପ୍ନ ଜାଗେ !
କେଜାଣି କେମିତି ଅଧୀର ହୃଦୟ,
ଯାହା କିଛି ଭାବି ନିଏ,
ଭାଙ୍ଗିଛି ଅନେକ , ତଥାପି ଆଉ ଏକ,
ନୂଆ ସ୍ବପ୍ନ ବୁଣି ନିଏ !
ନିଷିଦ୍ଧ ଇଲାକାରେ କରେ ବିଚରଣ,
ସଜେଇ ନୂଆ ନୂଆ ଅଭିଲାଷା,
ବୟସର ନୁହଁ ଏହି ଆଚରଣ,
ଏହା ସୁପ୍ତ କିଛି ପ୍ରୀତି ପିପାଶା I
ତୁମେ କି ପାରିବ ଧରି ମୋର ହାତ ,
ସମାଜର ଆଖିକି ନ ଡରି?
ତୁମେ କି ପାରିବ ବାନ୍ଧି ଆଲିଙ୍ଗନେ,
ମନ ଲାଖି ଆଦର କରି!
କବିତା-7 ପୁଣି ପ୍ରତୀକ୍ଷା ପ୍ରିୟାର
ଭଲ ପାଇବାର ଖୋଜି ଖୋଜି ଟିକେ,
ହରେଇଛି ବାଟ ମୁଁ କେତେ ଥର I
ଭାଙ୍ଗିଲେ ଗଢୁଛି, ଗଢ଼ିଲେ ଭାଙ୍ଗୁଛି,
ସତ ମିଛ ସ୍ଵପ୍ନ ମୋ ନୟନର I
ଭୁଲିବାକୁ ଚାହେଁ ଯେତେ ଏହି ମନ,
ଫେରି ଫେରି ଆସେ ଆଷାଢ ଝର I
କେହି ଆସି ଥରେ ବୁଝେଇ ତ ଦିଅ ,
ପଢି ମୁଁ ପାରେନି ଭାଷା ହୃଦୟର I
ମନେ ନାହିଁ କେତେ ଯୁଗ ଯାଏ ବିତି,ପା
ଇ ବାକୁ ମନ ଚାହାଁ ଝିଅଟି,
ଅଡୁଆ ଯେପରି ବୁଢିଆଣୀ ଜାଲ,
ପ୍ରୀତିର ପାଉନି ଧରି ଖିଅଟି,
ତରଳୁ ତ ନାହିଁ, ପଥର ହୃଦୟ
ହେବ କେବେ ସାହା ମୋର ନିୟତି I
କେହି ଆସି ଥରେ ଜଳେଇ ତ ଦିଅ ,
ଅନ୍ଧାର ମୋ ଘରେ ପ୍ରୀତିର ଜ୍ୟୋତି I
ଏ ବର୍ଷ ମଧ୍ୟ ଆଷାଢର ଦିନେ,
ଭସେଇଥିଲି କାଗଜର ନାଆ I
ଲେଖିଥିଲି ମନ କଥା ଦୁଇ ପଦ,
ଆଙ୍କି ହୃଦୟ ସାଥେ ତା'ର ନାଆଁ I
ଲିଭିଥିଲା ପୁଣି ପ୍ରୀତିର ସଙ୍କେତ,
ମାନି ନଥିଲା ଅଭିମାନୀ ପ୍ରିୟା I
କେହି ଆସି ଥରେ ମନେଇ ତ ଦିଅ ,
ସାଜି ଯାଉ ସିଏ ମୋର କନିଆଁ I
