ସାରୂପ୍ୟ ରଭସ
ସାରୂପ୍ୟ ରଭସ
ଆଲୋକ ସନ୍ଧାନୀ ସମଗ୍ର ପ୍ରକୃତି
ପାଇଛି ମୂଳ ଶିକ୍ଷାର
ଜ୍ୟୋତିର୍ମୟ ପଥ ଅନୁସରଣର
ରାସ୍ତା କରି ଆପଣାର।
ସଜୀବ,ନିର୍ଜୀବ ହୋଇଛନ୍ତି ଠୁଳ
ଏ କ୍ଷୁଦ୍ର ସତ୍ତାରେ ଜାଣ
କରି ଆଲିଙ୍ଗନ ଆତ୍ମୀୟତା ସହ
ହୁଏ ପୁଲକିତ ପ୍ରାଣ।
ହେ ହୃଦୟ ମୋର! ଅନନ୍ତ,ଅସୀମ
ଜ୍ଵଳନ୍ତ ତାରକା ପରି
ପ୍ରେମ ଜ୍ୟୋତିଧାରା ବିଚ୍ଛୁରିତ ତହୁଁ
ଆନନ୍ଦ ପଡଇ ଝରି।
ନଶ୍ଵର ମାନବ ବୁକୁରେ ସ୍ପନ୍ଦନ
ହୁଏ ସୃଷ୍ଟି ଦେଖେ ନିତି
ଢେଉ ପରି ତାହା ଚଳଚଞ୍ଚଳ
ବିରାମେ ନାହିଁ ତା' ପ୍ରୀତି ।
ପୁଲକିତ ହୁଏ ପ୍ରତି ସ୍ନାୟୁ ମୋର
ତୁମରି ପୁଲକ ବଳେ
ଋତୁରେ ଋତୁରେ ହୋଇଛି ସକ୍ରିୟ
ନାହିଁ ପଛଘୁଞ୍ଚା ତିଳେ।
ପ୍ରତି ଜୀବକୋଷ ଆନନ୍ଦ ବିଭୋର
ତୁମରି ସାନ୍ନିଧ୍ୟ ପାଇ
କୋଣେ ଅନୁକୋଣେ ପ୍ରତିଟି ଅଣୁରେ
ସ୍ୱର୍ଗୀୟ ସୁଷମା ଥାଇ ।
ଏ ଆଧାର ମୋର ନୁହଁଇ ଯେ ମୋର
ସେ ତ ତୁମର ପ୍ରସାଦ
ସେବାରେ ତାହାର ଲାଗିଅଛି ସିନା
ମନରେ ନ ଆସେ ଖେଦ।
କରଇ କାମନା ହେଉ ମୋ ଶରୀର
ପ୍ରାଣସ୍ଫୂର୍ତ୍ତ ପାନ ପାତ୍ର
ସ୍ୱର୍ଗୀୟ ଭାବନା ଭରିଯାଉ ତହିଁ
ଲାଗୁ ଅତୀବ ବିଚିତ୍ର।
ହୁଏ କେନ୍ଦ୍ରବିନ୍ଦୁ ତୁମ ସାମର୍ଥ୍ୟର
ସ୍ବର୍ଣ୍ଣାଭ ଆଲୋକ ସାଥେ
କାୟା ସହ ଛାୟା ଥାଏ ଯେଉଁପରି
ରହିଥାଅ ମୋର ସାଥେ ।
ବଳୟ ପ୍ରାୟେକ ମୋ ଶରୀର ରହୁ
ସେହି ସ୍ବର୍ଣ୍ଣାଭ ଜ୍ୟୋତିର
ସୁବିଶାଳ ସହ ହେଉ ଅପ୍ରମେୟ
କାରାଗାର ଆନନ୍ଦର।
ଶରୀର ମଧ୍ୟରେ ଆତ୍ମାଟି ରୂପରେ
ତୁମେ ଏକା ପ୍ରକଟିତ
ଜ୍ୟୋତିର୍ମୟ ତାହା ଧବଳ ରଙ୍ଗର
ସ୍ଵୟମ୍ଭୁ ଯେ ପ୍ରତିଭାତ।
ମନଟି ମୋହର ତୁମ ପାଦ ତଳେ
ଦେଇଛି ସମର୍ପି ପ୍ରଭୁ
ଗ୍ରାହୀ ଅଙ୍ଗ ମୋର ଲାଗଇ ଉଜ୍ଜ୍ବଳ
କରିଅଛ କୃପା ବିଭୁ।
କରେ ଅନୁଭବ ଅନ୍ତରେ ମୋହର
ପରମାତ୍ମା ଉପସ୍ଥିତି
ବିଶ୍ୱାସରେ ତୁମେ ବିଶ୍ୱାସରେ ତୁମେ
ଜାଗି ଉଠୁ ବିଶ୍ଵ ପ୍ରୀତି।
ସମଗ୍ର ଜୀବନ ଅଟଇ କେବଳ
ତୁମର ଏକ ସ୍ପନ୍ଦନ
ଚିର୍ଣ୍ଟାନ ସେ ଯେ ଲାଗଇ ମଧୁର
ଆହେ ଜଗତ ଜୀବନ ।
