ସାର୍ଥକ ସ୍ବପ୍ନ
ସାର୍ଥକ ସ୍ବପ୍ନ
ଜରି ଗୋଟାଇ ଗୋଟାଇ ହାତ କାଟେ
ହେଲେବି ସ୍ବପ୍ନ ମନକୁ ଉଚ୍ଚାଟେ
ଦେଖେ ଯେବେ ଅନ୍ୟ ପିଲାଙ୍କୁ
ବହୁ କଥା ତାର ଆସେ ମନକୁ ।
ବାପ ଛାଡ଼ିଗଲା ଅଧ ରାସ୍ତାରେ
ମା କିଛି କରି ପାରିଲାନି
ବାପାକୁ ଝୁରି ବେମାରୀ ହେଲା
ମରିବା ଯାଏଁ ବଂଚି ପାରିଲାନି ।
ଭାବିଛି ସେ କିଛି ହେଲେ କରିବ
ଛୋଟ ଭଉଣୀକୁ ସେ ପୋଷିବ
ସପନ ଦେଖଇ ଜରି ଗୋଟାଳୀ
କିଣିବ ଦରବ ଭଳିକି ଭଳି ।
ଭଲ ଲୁଗା ତା ଭଉଣୀ ପିନ୍ଧିବ
ସଭିଙ୍କ ପରି ସେ ଭଲ ଦିଶିବ
ପାଠ ପଢ଼ିବ ସଜେଇ ହେବ
ଦିନେ ବାହା ହୋଇ ପର ହୋଇବ ।
ଭାବେ ପିଲାମନ ଅଭିମାନରେ
ସେ କି ଭୁଲ କଲା ତା ଜୀବନରେ
ଦଇବ ଏମିତି ଦାଉ ସାଧିଲା
ତା ପିଲାବେଳ ନଷ୍ଟ ହିଁ ହେଲା ।
ତଥାପି ସ୍ବପ୍ନ ସେ ନିଜେ ଦେଖିଲା
ନିଜ ପାଇଁ ଏକ ଯୋଗାଡ କଲା
ବାବୁ ଘରେ ଯାଇ ପଢିଲା ପାଠ
ଆଇ ଏସ ହୋଇ ହେଲା ବିଖ୍ୟାତ ।
ତା ଭଳି ପିଲାଏ ଯେତେକ ଥିଲେ
ସଭିଙ୍କୁ ଆଣି ସେ ନିଜର କଲେ
ଭଉଣୀ ତାଙ୍କର ବଡ ହୋଇଲା
ନିଜ ଗୋଡ଼ରେ ସେ ଠିଆ ବି ହେଲା ।
କର୍ମ ବଳେ ଭାଗ୍ୟ ବଦଳିଯାଏ
ସପନ ଦେଖା କେବେ ନ ଛାଡ଼ ପିଲାଏ
କହିଲା ସେ ଜରି ଗୋଟାଳି ପିଲା
ଯା ପାଇଁ ସେ ବସ୍ତି ଦିନେ ବିଖ୍ୟାତ ହେଲା ।
କ୍ରମଶଃ
