ସାର ଏକା ରାମନାମ
ସାର ଏକା ରାମନାମ
ଜପିଜପି ରାମ ନାମ ଯାଉ ଜୀବ
ଶୁଣିଯା ଥରେ ମୋ ଧନ,
ରାମ ନାମ ଧ୍ୟାୟୀ ରହିଥିଲେ ତୁହି
ଦଣ୍ଡିବ ନାହିଁ ରେ ଯମ।
ଏ ସାରା ସଂସାର ପାର୍ଥବ ସୁଖ ରେ
ନାହିଁ ଏଠି କିଛି ସାର,
ଜୀବନ ଜୁଇ ରେ ଏକା ତୁ ଜଳିବୁ
ନଥିବେ କେ ଆପଣାର।
ଧନ ଜନ ଆଉ ଯଉବନ ତୋର
ତୋତେ ନ ପାରିବେ ରଖି,
ଯମ ଫାଶ ଦେଇ ଟାଣି ନେଲେ ତୋତେ
ପାରିବି କି ଆଉ ଦେଖି।
ଏ ସଂସାରେ ସାର ଏକା ସେ ନାମରେ
ବୋଲି ଦେଖେ ରାମ ରାମ,
ଛାଡ଼ିଦେ ସୁଖ କୁ ଯୋଗୀ ବନିଯାରେ
ବୁଲି ଆସେ ଚାରି ଧାମ।
କୁଳ ଚନ୍ଦ୍ରମା ରେ ନୟନ ପ୍ରତିମା
ମୋ ଜୀବ ଜୀବନ ତୁହି,
ଦଣ୍ଡେ ନ ଦେଖିଲେ କିବା ଜୀବ ଧରି
ରହି କି ପାରିବି ମୁହିଁ।
ଶତାୟୁ ହୋଇବୁ ସୁଖ ରେ ବଞ୍ଚିବୁ
ନଥିବ ମରଣ ଭୟ,
ରାଜ ସୁଖଶିରୀ ଥାଇ କି ଲାଭ ଗୋ
ଅକାଳେ ଜୀବନ କ୍ଷୟ।
ବିଶ୍ୱାସ ନାହିଁ ରେ ନିଃଶ୍ୱାସ କୁ ଏଠି
ମୁଠାଏ ପାଉଁଶ ହେବ,
ବଞ୍ଚିଥିଲା ଯାଏଁ ରାମ ନାମ ତୁଣ୍ଡେ
ସଦା ତୋର ରହୁଥିବ।
