ଜନ୍ମଦିନ
ଜନ୍ମଦିନ
ବରଷକେ ଥରେ ନୂଆ ବେଶ ନେଇ
ଆସେ ମୋ ଜନମ ଦିନ
ଖୁସି ଉପରକୁ ଦୁଃଖ ବେଶୀ ଦିଏ
ବୁଝାଇ ନିଏ ମୁଁ ମନ।
ପିଲାଦିନେ ସିନା ବଡ ହେଉଥିଲି
ମଜା ଲାଗୁଥିଲା ଭାରି
ଏବେ ତ ଯାଉଛି ବୟସଟା ଖସି
ଜୀବନଟା ଲାଗେ ଭାରି।
ମନେପଡେ ସେଇ ପିଲାଦିନ କଥା
ନୂଆ ଜାମା ପ୍ୟାଣ୍ଟ୍ ଆଣି
ବାପା ଦେଉଥିଲେ କେତେ ଯେ ଖେଳନା
ମୋ ମନ କଥାକୁ ଜାଣି।
ଭଳି ଭଳି ମାଆ ରାନ୍ଧି ଦେଉଥିଲା
ଖୁଆଉ ଥିଲା ବଳେଇ
ସାଙ୍ଗ ସାଥି ମେଳେ ଦିନ କଟୁଥିଲା
ଗରବରେ ଛାତି ଫୁଲେଇ।
ବୟସ ଆସିକି ଚାଳିଶି ଟପିଲା
ଜନମ ଦିନର ଖୁସି
ଲାଗୁନାହିଁ ଜମା ଆଗଭଳି ଆଉ
ବୟସ ଯାଉଛି ଖସି।
ଯାହା ବି ମଉଜ ନିଜ ପକେଟରୁ
ନାହିଁ କେହି ଦେବ ଜଣେ
ଟଙ୍କା ନୁହଁ ସେ ତ ହୃଦୟ ଗୋଲାପ
ପାଖୁଡ଼ା ପାଖୁଡ଼ା ଗଣେ।
ଆହା କି ସତରେ ଫେରିଥାନ୍ତା ଥରେ
ମୋର ସେଇ ପିଲାଦିନ
ଆଉ ଏ ଜୀବନେ ବଡ ନ ହୁଅନ୍ତି
କରି ଦେଇଥାନ୍ତି ପଣ।
ଜୟ ଜଗନ୍ନାଥ।