STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

ଆସିଛି ଶୀତ

ଆସିଛି ଶୀତ

1 min
179


ଘନ କୁହୁଡିର କୁହୁକ ଚାଦର

କିଏ ସେ ଦେଲା ଆଣି 

ଘାସ ଗାଲିଚାରେ କାକର ଟୋପାକୁ

ଦେଇଛି କିଏ ସେ ବୁଣି।


ଜାତିଜାତି ଫୁଲ ଫୁଟି ମହକୁଛି

ବାସ ନିଏ ମନ କିଣି 

ରାଇ ଦାମୋଦର ବ୍ରତ ପୂଜୁଛନ୍ତି

କାର୍ତ୍ତିକ ଆସିଲା ଜାଣି।


ଶୀତର ଲହରି ଢେଉ ଭାଙ୍ଗୁଅଛି

ନୂଆ ସେ ଆସିଛି ପୁଣି 

ମାନସ ପଟରେ ସ୍ମୃତିର ପସରା

ନିଏ ଅଭିନବ ଠାଣି।


ମଗୁଶୁର ଆଣେ ଧାନ ମାଣିକାକୁ

ଗୁରୁବାର ବ୍ରତ ମାନି 

ମହାଲକ୍ଷ୍ମୀ ଆସି ପ୍ରବେଶ ହୁଅନ୍ତି

ପୂଜେ ଶ୍ରୀୟା ଚଣ୍ଡାଳୁଣୀ।


ନୂଆ ବୋହୁଟିର ପାଉଁଜି ଶବଦ

ମନ ନିଏ ଥିରେ କିଣି 

ରାତି ବଡ ସହ ଛୋଟିଆ ଦିବସ

ସମୟକୁ ନିଏ ଟାଣି।


ଉଷୁମ ରେଜେଇ ନେଉଛି କୋଳେଇ

ବଳି ପଡେ ନିଦ ପୁଣି 

ରଙ୍ଗ ବେରଙ୍ଗର ଶୀତବାସ ଦେହେ

ସତେକି ରଙ୍ଗର ଖଣି।


ଧନୀ ପାଇଁ ଶୀତ ସୁଖର ଦିନଟି

ଜୀବନ ଭିତରେ ମଣି 

ଗରୀବ ପାଇଁଟି ଅଭିଶାପଟିଏ

ଯେମିତି ସେ ସପତଣି।


କେତେ ନୂଆ ଯୋଡ଼ି କେତେ କଥା ପେଢି

ଲେଖିବେ ନୂଆ କାହାଣୀ 

ମାଘ ଫଗୁଣରେ ଶୁଭ ମୁହୂର୍ତ୍ତକୁ

ଶୀତ ପରା ଦିଏ ଆଣି।


ଋତୁ ପରି ସିଏ ଋତୁଟିଏ କିନ୍ତୁ

ଲୋଡ଼େ ତା'କୁ ପ୍ରତି ପ୍ରାଣୀ 

ନିଜ ଗରଭରୁ ଅନ୍ନର ଭଣ୍ଡାର

ଢାଳିଦିଏ ମା' ଧରଣୀ।


ଚଷା ଭାଇ ହସେ ମନ ଆନନ୍ଦରେ

ରଖେ ସେ ଟଙ୍କାକୁ ଗଣି 

ଆତ୍ମ ସମ୍ମାନ ତା' ଫେରି ପାଇଯିବ

କେତେ ସେ ହୋଇଛି ଋଣି।


ଭୁରୁଭୁରୁ ବାସେ ଗେଣ୍ଡୁ ଓ ସେବତୀ

କାକର ନଈର ପାଣି 

ଶୀତ ସହ ମିତ ବସିବା ସଖିଲୋ

ନୂଆନୂଆ ଗୀତ ଭଣି।



Rate this content
Log in