ଆଘାତ
ଆଘାତ
ଶକ୍ତ ଭାରି ତ ସେଇ ଆଘାତ
ଦୀପ୍ତ ଭାରି ତା'ର ଚିହ୍ନ
ଲାଗିଥାଏ ଯାହା ମାନସପଟରେ
ଅନ୍ୟ ସବୁଠାରୁ ଭିନ୍ନ
ସେ ନିଶ୍ଚିତ ଭାବେ ଭିନ୍ନ ।
ଇଚ୍ଛା ହୁଏ ନାହିଁ ଥରୁଟିଏ ମଧ୍ୟ
କରିବାକୁ ଅନୁମାନ,
କ୍ଷତାକ୍ତ ଯେତେ, ଗଭୀରତା ସେତେ
କେତେ ଭେଦିଛି ସେ ମନ,
ସତେ କେତେ ସେ ଭେଦିଛି ମନ ।
ଭରସା ତୁଟାଏ ସହସା ହଜାଏ
ସମ୍ପର୍କ କରାଏ ଛିନ୍ନ,
ଆଘାତୀଟି ପୁଣି ଅତୀବ ନିଜର
ଦିନେ ଥିଲା ଯିଏ ପ୍ରାଣ,
ହଁ, ପ୍ରାଣ ଠୁଁ ଅଧିକା ପ୍ରାଣ ।
ଅପସରି ଯିବେ ସୂର୍ଯ୍ୟ ତାରା ନଭୁ
ରାତି ହୋଇପାରେ ଦିନ,
ହୃଦୟ ସିଲଟ ଦୁଇ ଫାଳ ହେଲେ
ରହିବ କି ମନ ମାନ,
ଓଃ, ରହିବ ନାହିଁ ତ ମାନ ।
ଏମିତି ଘାତକ ହୋଇପାରେ କିଏ
ବୁଝେନାହିଁ କରି ଜ୍ଞାନ,
ଦରଦି ପ୍ରାଣଟି ନଥାଏ କି ସତେ
ବୁଝିବାକୁ ଅଭିମାନ।
ଆହା, ବୁଝେନା ସେ ଅଭିମାନ ।
ଅଳପ ଗଳପ ନୁହେଁ ଜମାରୁ ସେ
ଦିଏ ଆଘାତ କଠିନ,
କହେ ନାହିଁ କଥା, କରେନା ମମତା
ଗୁମାନର କାହିଁ ସ୍ଥାନ,
ଏଠି ନାହିଁ ଜମା ସ୍ଥାନ ।
ଶତ ଚେଷ୍ଟା କଲେ ମାନସୁ ଲିଭେନା
କଥା ନୁହଁ ଜମା ନ୍ୟୁନ,
ହସ ନୁହଁ ଲୁହ ଦେଲେ ମଧ୍ୟ କେହି
ବାନ୍ଧିପାରେ କି ବନ୍ଧନ
ଅଦ୍ଭୁତ ଏ ବନ୍ଧନ ।
ଜାଣି ବି ଓଲେଇ ନ ଜାଣିକି ବାଇ
ସେଥିକୁ ହିଁ ଥାଏ ଧ୍ୟାନ,
ପ୍ରଥମ ଅକ୍ଷର ନ ଥାଏ ପ୍ରେମର
ଆଘାତ ପାଇ ବି ପ୍ରେମ,
ଇଏ କି ସତରେ ପ୍ରେମ ।