ସାମ୍ରାଜ୍ଯ
ସାମ୍ରାଜ୍ଯ
ରହିଛି ଏବେ ମୁଁ ମୋଠାରୁ ଦୂରରେ
ତୁଙ୍ଗଭଦ୍ରା ତୀରେ ଭାବୁଛି ବସି
ଗଢି କି ହୋଇବ ଭଗ୍ନ କୋଣାରକ
ସତେ ଶୋଇଥିବା ପ୍ରାଣ ଉଠିବ ହସି ?
ଯାଇଥିଲି ବୁଲି କମଳପୁର ମୁଁ
ବିଜୟନଗର ରାଜନବର
ଦେଖିଲି ବିଶାଳ ଅଛି ସରୋବର
ଫୁଟେନି ସରାଗେ ଆଉ କମଳ ।
ଭାଙ୍ଗିଛି ପୁରାଣ ପ୍ରସିଦ୍ଧ ନଗର
ତୁଟି ଜରାଜୀର୍ଣ୍ଣ ତା ଶୋଭାଶିରୀ
ପ୍ରସ୍ତରଖଣ୍ଡର କଳା ଭଗ୍ନସ୍ତୁପ
ଦେଖିଲେ ହୃଦୟ ହୁଏ ବିଦାରି ।
ରହିଛି ସ୍ମାରକୀ ହସ୍ତୀଶାଳ କୋଠା
ଗିରି ଉଚ୍ଚ ଶିଖେ ଦଶରା ପିଣ୍ଡି
ଭଙ୍ଗା ଦରବାର କାନ୍ଦୁଛି ବାହୁନୀ
ରାଣୀମହଲ ବି ଯାଇଛି ଭାଙ୍ଗି ।
ପ୍ରତୀକ ସ୍ୱରୂପ ଅଛି ମୂଳଭିତ୍ତି
ରାଣୀ ପୁଷ୍କରିଣୀ ପାଣି ଶୁଖିଲା
ରହିଛି ଅନାଇ ସଜଳ ନୟନେ
ପଦମମହଲ ସୁରଙ୍ଗଶାଳା ।
ଦିଶେ ହେମକୂଟ ମାତଙ୍ଗ ପର୍ବତ
ଅଞ୍ଜନୀଗିରି ଓ ଗନ୍ଧମାର୍ଦ୍ଦନ
ସୀତା ହରଣର ସାକ୍ଷୀ ଋଷ୍ୟମୁକ
ରହିଛି ନୀରବେ ଦଣ୍ଡାୟମାନ ।
ଦେବ ବିରୁପାକ୍ଷ ଅଛନ୍ତି ପ୍ରତ୍ୟକ୍ଷ
ସଙ୍ଗେ ବିରାଜିତ ଭୂବନେଶ୍ୱରୀ
ଆଶ୍ଚର୍ଯ୍ୟ ଚକିତ ହୁଅନ୍ତି ଦର୍ଶକ
ଐତିହ୍ୟ କୀରତି ରାଜି ସୁମରି ।
ପ୍ରତ୍ୟୁଷରୁ ସାୟ° ଦିବସ ସମୟେ
ମୁଖ୍ୟ ଗୋପୁରର ଓଲଟ ଛାୟା
ଛିଦ୍ର ମଧ୍ୟ ଦେଇ ମନ୍ଦିର ଗାତ୍ରରେ
ସୃଜେ ପ୍ରତିବିମ୍ବ ଅଦ୍ଭୁତ ମାୟା ।
ଦକ୍ଷିଣେ ପ୍ରସିଦ୍ଧ କର୍ଣ୍ଣାଟ ସାମ୍ରାଜ୍ଯ
ହୋଇଛି ଖନନ ଧ୍ବଂସାବଶେଷ
ବଖାଣୁଛି ତାର ଅତୀତ ଗୌରବ
ବୀରତ୍ବ ଗାରିମା ଐତିହ୍ଯ ଯଶ ।
ଟେକିଥିଲା ମୁଣ୍ଡ ହୟଶାଳ ପାଣ୍ଡ୍ଯ
ବୀର କାକତୀୟ ରାଜନ ବଂଶ
ସଙ୍ଗମ ଯାଦବ ତୁଲୁବ ସମ୍ରାଟ
କୃଷ୍ଣଦେବ ରାୟ ଥିଲେଟି ଶ୍ରେଷ୍ଠ ।
ରହିଛି ହଜାରି ଶ୍ରୀରାମ ମନ୍ଦିର
ସରୋବର ପମ୍ପା ତୀର୍ଥ ପବିତ୍ର
କରିଥିଲେ ମାତା ପାର୍ବତୀ ତପସ୍ୟା
ଲଭିବାକୁ ହର ଶିବଙ୍କୁ ବର ।
ଥିଲେ ଅପେକ୍ଷାରେ ରାମାୟଣ କାଳେ
ମାଆ ଶବରୀ ବି ଏହି ଠାବରେ
ସୁପବିତ୍ର ସ୍ମୃତି କରୁଛି ବହନ
ଅଛି ପଦଚିହ୍ନ ତୀର୍ଥ ସ୍ଥଳରେ ।
ରହିଛି ଗଣେଶ ବିଠଲ ଦେବଙ୍କ
ସୁଦୃଶ୍ୟ ପ୍ରସ୍ତର ଭବ୍ଯ ମନ୍ଦିର
ବିରାଜୁଛି ମୂର୍ତ୍ତି ଅଞ୍ଜନି ପର୍ବତେ
ପବନୀସୁତଙ୍କ ଯଶ ଅମର ।
ସୁବିସ୍ତୀର୍ଣ ପ୍ରାନ୍ତେ ହେଉଛି ଉତ୍କୀର୍ଣ୍ଣ
ପ୍ରାଚୀନ ସମୃଦ୍ଧ ବିଜୟ ନଗ୍ର
ପାଇଛି ୟୁନେସ୍କୋ ଐତିହ୍ଯ ମାନ୍ଯତା
ବିଶ୍ବେ ସୁପ୍ରସିଦ୍ଧ ହମ୍ପି ସହର ।
ଝୁରୁଅଛି ମାଟି ପ୍ରାଚୀନ ଐତିହ୍ୟ
ଝୁରୁଛନ୍ତି ପ୍ରିୟ ଦେଖଣାହାରୀ
ସ°ଗ୍ରହାଳୟରେ ମଉନମୁଦ୍ରାରେ
ଆମେ ଜଡ଼ପ୍ରାଣ ମୂର୍ତ୍ତିଟି ପରି ।
ବସନ୍ତୁ ଆସ୍ଥାନେ ବିଠଲ ଶ୍ରୀବିଷ୍ଣୁ
ମିତ୍ର ସୁଗ୍ରୀବୀର ପୁତ୍ର ଅଙ୍ଗଦ
ଉଡାଅ ବିଜୟ ବାନା ବୈଜୟନ୍ତୀ
ରାୟ କୃଷ୍ଣଦେବ ବ°ଶ ଭାରତ ।
ଲେଖା ହେଉ ପୁଣି ସ୍ୱର୍ଣିମ ଅଧ୍ୟାୟ
ହସୁ ତା ମନ୍ଦିର ରାଜ ଉଆସ
ଲଭୁ ପରାଭବ ବିଧର୍ମୀ ଅରାତି
କୁଚକ୍ର କରାଳ କାଳ ରାକ୍ଷସ ।
ଜାଗୁ ରୋମେରୋମେ ଶ୍ରୀରାମ ଚେତନା
ସଞ୍ଜିବୀତ ହେଉ ପ୍ରିୟ ମଣିଷ
ପୁକାରୁ ହୃଦୟ ମୁକ୍ତି ସବୁଜିମା
ଲେଖୁ ତା କଲମ ଗୀତ ନିର୍ଯ୍ୟାସ ।
