ସାମଞ୍ଜସ୍ୟ
ସାମଞ୍ଜସ୍ୟ
ବାଲୁକା ପ୍ରାନ୍ତର ଭରା ନଦୀତୀରେ
ଉଭା ଯେ ଏକ ପାଦପ
ଅବିଦ୍ୟା, ବିଦ୍ୟାକୁ କରିଛି ବରଣ
ସତେ କି କରୁଛି ତପ ।
ଶାଖାପ୍ରଶାଖାକୁ ମେଲି ଦେଇ ସୁଖେ
ଅନନ୍ତ ଗଗନ ଦେଖେ
ଛୁଇଁବାକୁ ଯେବେ କରଇ ପ୍ରୟାସ
ବିଫଳତା ସ୍ଵାଦ ଚାଖେ ।
ତଉଲିଲେ ତା'ର ଜୀବନ ସହିତ
ମଣିଷ ଜୀବନ ଧାରା
ନିକିତି ତଉଲ ନୁହେଁ ବଡ଼ ସାନ
ସଭିଏଁ ସମାନ ପରା।
ମଣଷର ମନ ଉଡିବୁଲେ ନିତି
ବିଚଳିତ ଓ ଅସ୍ଥିର
ଅବିଦ୍ୟା ତା' ପାଇଁ ମରୁ ମରୀଚିକା
ଶୋକରେ ହୁଏ ଅଧୀର।
ମହତ୍ତର ଅଟେ ଆତ୍ମାର କାମନା
ଭୋଗୀର ଜୀବନେ ଦୁଃଖ
ଭୂମି ଲାଗେ ତୁଚ୍ଛ,ଭୂମା ଚିର ନିତ୍ୟ
ଲୋଡ଼େ ଅତୀନ୍ଦ୍ରିୟ ସୁଖ।