ସାକ୍ଷୀ
ସାକ୍ଷୀ
ଭୁଲ୍ କରିବାକୁ ହେଲେ
ମନ ଖୋଜେ ରଜନୀର
ଘନ ଅନ୍ଧକାର।
ଜଙ୍ଗଲର ନିର୍ଜନତା
ପାହାଡ଼ର ଦୁର୍ଗମ କନ୍ଦର।
ଯେଉଁଠି କେହି ନଥିବେ
କିଛି ଦେଖିବାକୁ,
ସେ ଅନ୍ୟାୟ ବିରୁଦ୍ଧରେ
ସ୍ଵର ତୋଳିବାକୁ,
ବିଚାରାଳୟକୁ ଯାଇ
ସେହି ଭୁଲ୍ ବିରୁଦ୍ଧରେ
ସାକ୍ଷୀ ଆଉ ପ୍ରମାଣ ଦେବାକୁ।
ସତ୍ୟର ଝଣ୍ଡା ଧରି
ଧାଉଁଥିବା ଲୋକଟାର
ଗଳାଟାକୁ ଚିପିବାର ବିଫଳ ପ୍ରୟାସ।
ତାପରେ ପୈଶାଚିକ ଆତ୍ମତୃପ୍ତି,
କେହି କିଛି ଦେଖିନାହିଁ
କେହି ସାକ୍ଷୀ ନାହିଁ।
ନିଜ ସାଥେ ଏତେ ଧୋକା
ଏତେ ପ୍ରତାରଣା !
ନିଜେ ସେ ଭୁଲ୍ କାମର
ବଡ ସାକ୍ଷୀ ହୋଇ
କିପରି କହୁଛ କେହି ସାକ୍ଷୀ ନାହିଁ ବୋଲି?
ସାରା ଦୁନିଆ ଆଗରେ ମୁଖାପିନ୍ଧି
ସାଜ ତୁମେ ଯେତେ ସାଧୁସନ୍ଥ
ବିବେକ ଅଦାଲତରେ
ବିଚାର ଚାଲିଲେ,
ପ୍ରତି ମୁହୂର୍ତ୍ତରେ ତୁମେ
କାଠଗଡା ମଧ୍ୟେ ରହି
ନିଜେ ଗଳା ଫଟାଇ କହିବ
ସେହି ଅପରାଧଟିର
ତୁମେ ଅଟ ଏକମାତ୍ର ସାକ୍ଷୀ।
