ସାହୁବାବୁ
ସାହୁବାବୁ
ସାହୁ ବାବୁ ଆମ ସାହୁବାବୁ
ବାହା ହେବା ଲାଗି ଉବୁଟୁବୁ।
ନିମ୍ନ ମଧ୍ୟବିତ୍ତ ପରିବାର
ଗାଆଁ ମୁଣ୍ଡେ ଛୋଟ ଘର ତାର।
ଝିଅ ଦେଖା ହେଲା ଜଗପୁରେ
ଉତ୍ସବ ଆସିଲା ସାହୁଘରେ।
ଚାରି ଗାଡି ଭରି ଯଉତୁକ
ଆରମ୍ଭ ଅସଲ କଉତୁକ।
ବୋହୁ ଆଣିଛି ଯେ ପଲସର
ମନ ଉଡେ ଖାଲି ଫରଫର।
ଗାଡି ସିନା ହେଲା ମାହାଳିଆ
ତେଲ ଢାଳି ଢାଳି ଦେବାଳିଆ।
ଦୁଇ ମାସ ପରେ ଗଲେ ଶିଖି
ଘୋଡା ଘୋଡ଼ି କରି ଦେଲେ ରଖି।
ଲୋଡ଼ା ନାହିଁ ଆଉ ପଲସର
ସାଇକେଲ ମୋ ଏକ ନମ୍ବର।
ବୋହୁ ଆଣିଛିରେ ଫ୍ରିଜ ଟିଏ
ସାହୁ ବୁଢା ଥଣ୍ଡା ପାଣି ପିଏ।
ଚାରି ଦିନ ପରେ କାଶ ଜ୍ୱର
ଔଷଧ ଆସଇ ବାରମ୍ବାର।
ମାସ ଶେଷେ କରଣ୍ଟର ବିଲ
ସାହୁ ବାବୁ ହେଲେ କିଲବିଲ।
ଶେଷରେ ଉପାୟ ନ ଦିଶିଲା
ଫ୍ରିଜ ମ୍ରିଜ ସବୁ ବନ୍ଦ ହେଲା।
ବୋହୁ ଆଣିଥିଲା ଗ୍ରାଇଣ୍ଡର
ସାହୁ ବୁଢ଼ୀ ମନ ଫରଫର।
ଚାଉଳ ବାଟିବା ପାଇଁ ସିଏ
ଚାଉଳ ପକାଇ ଦେଲା ସିଏ।
ସୁଇଚିକୁ ଟିପି ଦେଲା ଯାଇ
ଘୋଡଣି ବୁଜିବା ଜଣାନାହିଁ।
ଘରେ ରଙ୍ଗିଲା ଚାଉଳ ବଟା
ଘର ଧୋଇ ବଙ୍କା ହେଲା ଅଣ୍ଟା।
ବତିଶୀ ଇଁଚିଆ ଟିଭି ଟିଏ
ବଡ଼ ବଡ଼ ସବୁ ଦିଶୁଥାଏ।
ସେଟ ଅପ ବକ୍ସ ମାସଭଡା
ଟିଭି ମାସକରେ ହେଲା ଘୋଡା।
ଯୌତୁକରେ ମାଗି ଏତେ ସବୁ
ହଇରାଣ ହେଲା ସାହୁବାବୁ।
ଘୋଡା ସିନା ଏଠି ଛଅ ଟଙ୍କା
ଦାନା ଦେଇ ଦେଇ ନିଶ ବଙ୍କା।
ହେଲା ନାହିଁ କିଛି ବ୍ୟବହାର
ଜମି ବିକିଥିଲେ ଝିଅ ଘର।
ସମାଜକୁ ଦେଖେଇ ହେବା ପାଇଁ
ନହେଲା ଜିନିଷ ମାଗ କାହିଁ।
କରଜେ ବୁଡାଇ ଶଶୁରଙ୍କୁ
କଅଣ ମିଳିଲା ସାହୁବାବୁ?
ଅନୁରୋଧ ଏଇ ଅଧମର
ବିନା ଯୌତୁକରେ ବାହାଘର।
