ସାଧବ ଦୁଲଣୀ ତଅପୋଇ
ସାଧବ ଦୁଲଣୀ ତଅପୋଇ
ତଅପୋଇ ନାମେ ସାଧବ ଦୁଲଣୀ ସାତ ଭାଇରେ ଭଉଣୀ,
ସୁନା କୁଲେଇର ସପନେ ବିଭୋର କଲା ବିଧବା ବ୍ରାହ୍ଣଣୀ:
ଗଢା ହେଲା ସୁନା ଚାନ୍ଦ,
ଚାନ୍ଦ ଗଢୁଗଢୁ ପିତା ମାତା ମୃତ୍ୟୁ ହଜିଲା ଜୀବନ ଛନ୍ଦ ।।
ସମୟ ଚକ୍ରରେ ଭାଇମାନେ ଗଲେ ବଣିଜ ବେପାର କରି,
ସାତ ଭାଉଜଙ୍କ ଗହଣେ ରହିଲା ଯେବେ ସାଧବର ବାଳୀ;
କପାଳ ଲିଖନ କ୍ରମେ,
ପ୍ରରୋଚନା ଛଳେ ଦୁର୍ବିସହ ପ୍ରାଣ କଟଇ ଗହନ ବନେ ।।
ଅଲିଅଳି ବାଳୀ ଚରାଇଲା ଛେଳି ବିଧିର ବିଧାନ ପୁଣି,
ଖାଇବା ବିହୁନେ ସାଧବର ଝିଅ ହୋଇଲା ଖୁଦ ରଙ୍କୁଣୀ;
ଶୁଭ ବେଳ ଉପଗଚ,
ସମୟ ଚକ୍ରରେ ଜୀବନ ବଦଳେ ଦୁଃଖପରେ ଆସେସୁଖ ।।
ଭାଦ୍ରବ ମାସର ଶେଷ ରବିବାର ମଙ୍ଗଳା ମାଆଙ୍କ ଓଷା,
ଛେଳି ଘରମଣୀ ଖୋଜି ସେ ମିଳିଲା ବଖାଣେ ଦୁଃଖର ଭାଷା;
ଦୟାକଲେ ଠାକୁରାଣୀ,
ଖୁଦ ରଙ୍କୁଣୀ ସେ ଖୁଦୁରୁକୁଣୀ ର ବ୍ରତେ ବ୍ରତି ହେଲା ପୁଣି ।।
ସମୟ ତ ପୁଣି ଅତି ବଳବାନ ଫେରି ଆସିଥିଲେ ଭାଇ,
ଘରେଥିଲେ ସର୍ବେ ଖୋଜି ନପାଇସେ କାହିଁଗଲା ତଅପୋଇ;
ନପାଇ କିଛି ଉତ୍ତର,
ମଙ୍ଗଳା ମାଆଙ୍କ କୋଠିରେ ପାଇଲେ ଜାଣିଲେ ସବୁ ଖବର ।।
ଦୁଃଖ ଦେଇଥିବା ଭାଉଜ ମାନଙ୍କୁ ଦଣ୍ଡ ଦେଇ କଲେ ବିଦା,
ନୀଳେନ୍ଦ୍ରୀ ଯେ ସାନ ଭାଉଜ ତାହାର ପ୍ରୀତି ଭରା ପ୍ରେମ ସୁଧା;
ସଙ୍ଗେ ନେଇ ଆନନ୍ଦରେ,
ମଙ୍ଗଳା ମାଆଙ୍କ ପୂଜା ଆରଧନା କରିଲେ ନିଜ ମନ୍ଦିରେ ।।
ଖୁଦ ରଙ୍କୁଣୀ ସେ ଖୁଦୁରୁକୁଣୀ ରେ ମଙ୍ଗଳାଙ୍କ ଆରାଧନା,
ଓଡିଆ ଜାତିର ଅନନ୍ୟ ଏ କଥା କରିଲି ଯାହା ବର୍ଣ୍ଣନା;
ଶୁଭ ମନାସି ଭଉଣୀ,
ଭାଇ ପାଇଁ ଏହି ଓଷା ଉପବାସ ପୂତ ଅମୀୟ କାହାଣୀ ।।
କପାଳ ଲିଖନ କର୍ମଫଳେ ନର ଭୁଞ୍ଜୁଥାଏ ଦୁଃଖ ସୁଖ,
ଜୀବନ ଜଞ୍ଜାଳ ବିଷମ ସ୍ଥିତିରେ ଖସିଯାଏ କେବେ ପାଦ;
ଐଶ୍ଵରୀୟ ଶକ୍ତି ବଳେ,
ଐକାନ୍ତିକ ପ୍ରଚେଷ୍ଟାରେ କର୍ମପଥ କେବେ ସହସା ବଦଳେ ।।
ପରକଥା ଶୁଣି ନିଜର ବିପଦ ଡାକିବା ହୁଅଇ ସାର,
ପରବୁଦ୍ଧି ଅଟେ ଜହର ସମାନ ଭାଙ୍ଗଇ ସୁଖ ସଂସାର;
ତଅପୋଇ ର ଏ କାହାଣୀ,
ମାନବ ଜାତିର ପଥ ପ୍ରଦର୍ଶକ ମନେ ରଖ ଭାଇ ଭଉଣୀ ।।
ମଙ୍ଗଳା ମାଆଙ୍କ ସ୍ମରିଣ ପ୍ରଫୁଲ୍ଲ ସାଧବ ଦୁଲଣୀ କଥା,
ଠିକେ ଠିକେ ଯାହା ଲେଖିଲା ଅଧମ ଦୋଷ ଥିଲେ କର କ୍ଷମା;
ମଙ୍ଗଳା ମାଆଙ୍କ ଚରଣ,
ତଳେ ପୁଷ୍ପାଞ୍ଜଳି ଦେଇ ଏ କବିତା କରିଲି ଏଠି ପୁରଣ ।।