ସ୍ୱରୂପେ ବର୍ଣ୍ଣାଳୀ
ସ୍ୱରୂପେ ବର୍ଣ୍ଣାଳୀ
ବସନ୍ତେ ପୁରିତ ପାଦପେ ପ୍ରଶାଖା କଅଁଳ ,
ଶୋଭିତ କାନନ ଯେହ୍ନେ ସବୁଜ ଅଂଚଳ।
ଧୀର ସମିରଣେ ବାସେ ସହକାର ତଳ ,
ପ୍ରସ୍ଫୁଟିତେ ସୁଗନ୍ଧିତା ଦୋଳିତ ବଉଳ ।
ଆକର୍ଷେ ବିହଙ୍ଗମ ବିବିଧ ଦଳକୁ ଦଳ ,
କୁହୁଗାନେ ସାଥୀ ଖୋଜେ ଗାୟକ କୋକିଳ।
ପୁଣ୍ଡରିକ ଦୋଳାଏ ତଡାଗେ ସ୍ନିଗ୍ଧ ଅନୀଳ,
ମତ୍ତେ ଭ୍ରମେ ମଧୁଲିଟ କେଳି ଶ୍ୱେତ କମଳ ।
ଟାଣେ ଗ୍ରାମ ଆମ୍ବତୋଟା ଶିଶୁ ସେ ଚପଳ ,
ସୁଲୁ ସୁଲୁ ବାଆ ବଢାଇ ଦୁଷ୍ଟାମୀର ବଳ।
ମନହଜା ଗ୍ରାମୀଣ ବାଗୁଡି,ଲୁଚକାଳି ଖେଳ,
ନିଆରା ଆନନ୍ଦେ ମଜ୍ଜେ ସେ ମନ ଚଞ୍ଚଳ ।
କୋଇଲି ମଧୁ ତାନେ ଝୁମେ ବକୁଳ ଡାଳ,
କ୍ରିଡାରତେ ଚପଳାମି ବିତେ ଖରାବେଳ ।
ଅସ୍ତରାଗେ ରବି, ଗ୍ରାମ କିଶୋରୀ ସକଳ ,
ସାଂଧ୍ୟ ସ୍ନାନେ ରତ ଉଛୁଳେ ତଟିନୀ ଜଳ ।
ଝୁମୁ ଝୁମୁ ଧୂଳିଦାଣ୍ଡ ଲାଗେ ଗହଳ ଚହଳ,
ଭିଜେ ନିତମ୍ବେ ପଣତ,ଚହଲି କଳସୀ ଜଳ।
ସାରି ଖାଦ୍ୟ ପ୍ରସ୍ତୁତି ଯୁବା ବଧୂ ସଅଳ ସଅଳ,
ପିଣ୍ଡାତଳେ ଜମେ ତାଆସ, କାଞିଆ ଗାତ ଖେଳ।
ପଣ୍ଡିତେ ବୋଲନ୍ତି ମଣ୍ଡପେ ପୁରାଣ ବର୍ଣ୍ଣନା ସରଳ,
ମଧୁୁୁମତ୍ତ ଆତ୍ମା ସଞୁଆ ସମୀରେ ପ୍ରଶାନ୍ତି ଶୀତଳ।
ବିସ୍ତୀର୍ଣ୍ଣ ଜୋଛନା ରାତେ ଝରେ ପ୍ରିତି କଲ୍ଲୋଳ ,
ଝିଙ୍କାରି ମୁୁୁର୍ଛନା ପ୍ରହରେ ଦୃଶ୍ୟ ସହଚରୀ ସ୍ୱପ୍ନିଳ ।
ସଞ୍ଚରେ ଜୀବନାଲୋକ ବିଭାବରୀ କଜ୍ୱଳ ,
ଜୀଇଁବାକୁ ବାଧ୍ୟ ସେ ପ୍ରାଣେ ତନୁ- ଉଜ୍ଜଳ ।
