ସ୍ୱପ୍ନ
ସ୍ୱପ୍ନ
ଆଖିର ଭିତରେ ନିଦ ଆସିଯାଏ
ନିଦରେ ସପନ ଆସେ
କେତେ ଯେ ଅତୀତ ଅଭୁଲାର ଗାଥା
ଜଳ ଜଳ ହେଇ ଦିଶେ ।
କେତେବେଳେ ସିଏ ଆକାଶରେ ଉଡେ
କେବେବି ଜଳେ ବୁଡଇ
କେବେ ସେ ଜଙ୍ଗଲେ ବଣ ଭୋଜି କରେ
କେବେ ପାହାଡ ଚଢଇ ।
କେତେବେଳେ କେତେ ଅଜଣା ଲୋକଙ୍କ
ସାଥେ ସିଏ ବୁଲୁ ଥାଇ
କେବେ ମରୁଭୂମି ମରୁପ୍ରାନ୍ତେ ଧାଇଁ
ତୃଷ୍ଣାରେ ବିକଳ ହୋଇ ।
କେତେ ପୁଣି ସିଏ ଦେବ ଦର୍ଶନରେ
ଥାଏ ଭକ୍ତି ଗହଣରେ
କେବେ କେବେ ପୁଣି ଭୟଙ୍କର ସ୍ଵପ୍ନ
ଦେଖି ଥରୁଥାଏ ଡରେ ।
କେତେବେଳେ ଦେଖେ ଆତ୍ମୀୟ ସ୍ବଜନ
ମୃତ୍ୟୁର ସେ ବିଭୀଷିକା
କେତେବେଳେ ପୁଣି ଚକ୍ରାନ୍ତେ କେ ମାରେ
ଦିଏ କିଏ କେବେ ଧୋକା ।
କେବେ ସେ ଶ୍ରାବଣ ବରଷେ ଭିଜଇ
ଖେଳେ ରଙ୍ଗ ଫଗୁଣରେ
କେବେ ସେ ଦୁଃଖରେ ମ୍ରିୟମାଣ ହେଇ
ଭିଜେ ଲୁହର ସାଗରେ ।
କେତେବେଳେ ସ୍ବପ୍ନ କେତେ ଖୁସି ଦିଏ
କେବେ ଦୁଃଖ ଅନ୍ତରରେ
କେତେବେଳେ କେତେ ମିଠା ସ୍ମୃତି ଭରେ
ଅଜଣା ସେ ଦୁନିଆରେ ।
କେତେବେଳେ ସପ୍ନ ଅଧାରେ ଭାଙ୍ଗଇ
ଇଛା ଥାଏ ଦେଖି ବାରେ
ଥରେ ଯଦି ନିଦ ଭାଙ୍ଗି ଯାଇ ଥାଏ
ସେ ସ୍ବପ୍ନ ନା ଫେରି ପାରେ ।
ଏମିତିକା ସ୍ବପ୍ନ ବେଳେ ବେଳେ ଆସେ
ଲାଗୁଥାଏ ସତ ସିଏ
ସପନ ଭଙ୍ଗିଲେ ଆଖି ଖୋଲି ଦେଲେ
ସେଇ ଶେଯରେ ସେ ଥାଏ ।
ସପନ ତ କେବେ ସତ ହୋଇ ଥାଏ
କେବେ ମିଛ ହୁଏ ସିଏ
ସବୁ ସପନ ତ କେବେ ସତ ନୁହେଁ
ମନ ବୁଝେଇଣ ଦିଏ ।
ଏମିତି ଅନେକ ବାସ୍ତବ ସପନ
ମଣିଷ ଯେ ଦେଖୁଥାଏ
ସେ ସପ୍ନ ସାକାର କରିବା ଉଦ୍ଦେଶ୍ୟେ
କର୍ମେ ଅଗ୍ରସର ହୁଏ ।
ସପନ ଦେଖିବା ଭଲ କଥା ହେଲେ
ଏମିତି ସପନ କେହି
ଦେଖ ନାହିଁ କେବେ ଜୀବନରେ ଯାହା
ଅପୂରଣ ଯାଏ ରହି ।
ସେଇ ସପନଟି ବଡ ଦୁଃଖ ଦେବ
ନିଦ ସେ ହଜେଇ ଦେବ
ନିଦ ହଜି ଗଲେ ସେଇ ସପନଟି
ସପନରେ ରହି ଯିବ ।
