ସ୍ୱଚ୍ଛନ୍ଦତା
ସ୍ୱଚ୍ଛନ୍ଦତା
ଶୁଆଟିଏ ହେଉ ଶାରୀଟିଏ
ସୁନ୍ଦର ନିରୀହ ପକ୍ଷୀ ସିଏ
ଆଦର ଯତନେ ମଣିଷ ତାହାକୁ
ନିଜ ପାଖେ ରଖି ପାଳିଥାଏ ।
ପିଞ୍ଜୁରୀ ଭିତରେ ଶୁଆଶାରୀ
ଖାଉଥିଲେ ଯେତେ ଖିରୀପୁରି
ଜାତି ଜାତି ଫଳ ଅଜାଡି ଦେଲେ ବି
ମନ ଭିତରେ ସେ ହୁଏ ଘାରି ।
ପଢିଶୁଣି ଘୋଷେ କିଛି ନାମ
ହରେକୃଷ୍ଣ ବାପା ରାମରାମ
ମାଆ ଦେଖ ଦେଖ ଆସିଲେ କିଏସେ
ଉଠ କୁନା ସୁନା ପାଠପଢ ।
ମଣିଷ ଗୋଟିଏ ଅଦ୍ଭୁତ ଜୀବ
ଯାହା ପାଉଥିବ ଗୋଟାଉଥିବ
ନିଜ ପାଇଁ ଗଢି ସୁନାର ପଞ୍ଜୁରୀ
ଉପର ଆକାଶେ ବସି ଝୁଲିବ ।
ଘୋଷାପାଠ ପଢି ଯାହା କହିବ
କାନଟାକୁ ଭାରି ଭଲ ଶୁଭିବ
ଗୋଲଗାଲ ତୁଚ୍ଛା ଚେହେରା ସୁନ୍ଦର
ଦେଖିଦେଲେ କିବା ପେଟ ପୂରିବ ।
ପକ୍ଷୀ ହେଉ ହେଲେ ଜୀବ ବୁଦ୍ଧିଆ
ପସନ୍ଦ କରଇ ଆକାଶ ଖୋଲା
ଖୋଲି ଦେଲେ ଦ୍ୱାର ଡେଣା ମେଲି ସିଏ
ଯାଏ ଉଡି ଉଡି ଦିଏନି ଧରା ।
ଗଢ଼ଇ ମଣିଷ ଉଚ୍ଚା ପାଚେରୀ
କୋଠା ବହୁତଳ ଫେସନ ଭାରି
ବନ୍ଦୀ ହୋଇ ନିଜେ ରହିବାକୁ ଚାହେଁ
ସ୍ୱଚ୍ଛନ୍ଦତା ଅର୍ଥ ଅନର୍ଥ କରି ।
