ରୂପସୀ ଚିଲିକା
ରୂପସୀ ଚିଲିକା
ଆହେ ରୂପରାଣୀ ମରାଳ ମାଳିନୀ
ଉତ୍କଳର ଗଳାହାର,
ରୂପସୀ ବିନ୍ୟାସୀ ପ୍ରକୃତି ମାନସୀ
ରୂପ ରସନା ତୋହର ॥
ଚାରୁ ଚିତ୍ରପଟେ ଆଙ୍କିଛୁ ତୁ କେତେ
ଦିଗନ୍ତ ବିସ୍ତାରି ରୂପ,
ନିଳାମ୍ବୁ ବାରିରେ ଉଜ୍ଜ୍ୱଳ ବରଣା
ନିଳୋରସେ ବ୍ୟୋମଛାପ ॥
ଶୈଳ ମାରକତ ଉଭାନ୍ତି ମସ୍ତକ
ଯେହ୍ନେ ବିମାନ ଆକାଶେ,
ପ୍ରସନ୍ନ ବଦନୀ ଆହେ ମନ୍ଦାକିନୀ
ଶୋଭାରାଣୀ ତୁ ପ୍ରକାଶେ ॥
କାଳିଜାଈ ଗିରି ଶୋଭାଇଛି ଶିରି
ମରକତ ସେତୁ ପ୍ରାୟେ,
ତରଙ୍ଗ ବେଷ୍ଟିତ କାଂକଣ ଶିଖରୀ
ତୋର ସୈାନ୍ଦର୍ଯ୍ୟତା ଗାଏ ॥
ଶ୍ୱେତାଙ୍ଗ ଚଢାଇ ଗୁହା ମୁଖେ ଯାଇ
ନିଖାରେ ଶୋଭା ଜଗତ,
ସୈାରକରୋଭାସି ନୀଳ ନୀର ଧ୍ୱଂସୀ
ଉଠେ କିବା ଐରାବତ ॥
ଦିଗନ୍ତ ବିସ୍ତାରି ତୋର ଜଳ ରାଶି
ସତେ ଛୁଇଁଛି ସୈକତ,
ଶରତ ଆକାଶେ ଯେହ୍ନେ ଛାୟାପଥ
ଉପମା ଦିଏ ଜଗତ ॥
ଦୂରେ ପାରିକୂଦ ମାଲୁଦ ଶୋଭଇ
ଛାୟା ଜଳରାଶି ପରେ,
ଶରତେ ଭାସିଣ ମରାଳପଂକ୍ତିଏଁ
ଶୋଭନ୍ତି ପୋତ ପରାଏ ॥
ପ୍ରକୃତି କୋଳେ ତୁ ରାଜ ରାଜେଶ୍ୱରୀ
ଉତ୍କଳଲକ୍ଷ୍ମୀ ଭୂଷଣା,
ତୋହରୀ ମୁଖଶ୍ରୀ ଦେଖି ଦିଗଂଗନା
କରନ୍ତି ତୋର ବନ୍ଦନା ॥
