ରୁପା ଜହ୍ନ
ରୁପା ଜହ୍ନ
ଜହ୍ନକୁ ଭଲ ପାଏ ବୋଲି,
ମେଘକୁ ମୁଁ ଖୁବ ଡରୁଥିଲି,
କାଳେ ଆସି ଢାଙ୍କି ଦେବ ସେ ଅଦିନିଆ ମେଘ
ଘୋଟିବ ଅନ୍ଧାର, ଲୁଚିଯିବ ସେ ଅମାନିଆ ଜହ୍ନ,
ତୋଳୁ ମୁଁ ନ ଥିଲି ଫୁଲ, ଜାଣି ଜାଣି,
କାଳେ ସେ ରୁସି ଯିବ ଜହ୍ନ, ଝୁରି ଝୁରି,
ହଜି ଯିବ ଆକାଶରେ ତା'ରୂପ ଠାଣି,
ନ ଦେଖିକି ତା'ମନ ପସନ୍ଦର, ସ୍ବପ୍ନର ନୀଳ କଇଁ,
ଫୁଟୁ ଥାଉ ସବୁ ଦିନ,ସବୁ ରାତି,ତା'ପୁନେଇଁ ପାଇଁ,
ହେଲେ ଫୁଟେ ସିନା ବଗିଚାରେ,ନୀରବେ ମଉନେ,
ସ୍ବପ୍ନ କିଂତୁ ବୁଣୁ ଥାଏ, ତା' ଅଝଟ, ଅବୁଝା ମନରେ,
ଏବେତ ବଗିଚାରେ ଅନେକ ପସନ୍ଦର ଫୁଲ,
ହେଲେ ସେ ଫୁଲ ବି ଲାଗେ ମଧୁରତା ହୀନ,
ହାତ ପାହାନ୍ତାରେ ଏବେ ତୋଫା ତୋଫା ଜହ୍ନ,
ତଥାପି ସେ ଜହ୍ନରେ କାହିଁ ସେ ଶୀତଳତା ଚିହ୍ନ,
ତେଣୁ ମୁଁ ତୋଳୁନି ଆଉ ପେନ୍ଥା ପେନ୍ଥା ଫୁଲ
ହଜୁଛି ଜୋଛନା ଯେତେ ହଜେ ସେ ମହକ,
କିନ୍ତୁ ଡର ଲାଗେ କହିବାକୁ, ରୁପା ଜହ୍ନ,
ଲୁଚ ନାଁ ତୁ ଆଉ ଏଇ ଅମା ଅନ୍ଧକାରେ,
ବରଂ, ମୁଁ ବାଛି ନେଉଛି ମୋ ଅମାରାତି,
ତୁ ହସୁଥା ରୀତିମତ ତୋ'କୁଆଁରୀ ସପନ,
ଜହ୍ନ ବଦଳରେ ତୋଳୁଛି ଅସରନ୍ତି ତାରା ଫୁଲ ଯେତେ,
ତୁ ଦେଖୁଥା ତୋ ଜହ୍ନ ରାତି ମିଳୁ ତୋ ମନ ଫୁଲ ତତେ,
ହଜିଲେ ହଜି ମୁଁ ଯାଏ,ଏ ତାରା ଗହଣରେ,
ତୁ ହସୁଛୁ ହସୁ ଥା ତୁ ସେ ଜହ୍ନ ଆଲୁଅରେ
ଦେଖିବି ଦୂରରୁ ଥାଇ ତୋ ଜୋଛନାର ରୂପ,
ଦେଖି ଦେଲେ ହସି ଦେବୁ ତୁ ସୁକୁମାରୀ ଜହ୍ନ,
ଫୁଟୁ ଥିବ ତାରା ଫୁଲ ମୋ ଅଗଣାରେ,
ତଥାପି ଦେଖିବି ତତେ ସ୍ବପ୍ନ ସମ୍ଭାରରେ..!