ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ଯାଇଛି ଶୀତ ।
ଆସିଲେଣି ଋତୁରାଜ ବସନ୍ତ ।।
ଛାଇକି ଆସିଲେ ଲାଗୁଚି ଶୀତ ।
ଖରାକୁ ଆସିଲେ ଉଷୁମ ସେ ତ ।।
ବାଆ ବହିଲାଣି ସୁଲୁସୁଲିଆ ।
ଫୁଟିଲାଣି ଫୁଲ ଭାରି ବଢିଆ ।।
ପେନ୍ଥା ପେନ୍ଥା ହୋଇ ଫୁଟିଛି ଫୁଲ ।
ମଧୂପ ଗୁଞ୍ଜନ ଅମୂଲ ମୂଲ ।।
ଏ ଫୁଲରୁ ଉଡି ସେ ଫୁଲେ ବସେ ।
ମଧୁ ପାନ କରି ଅତି ହରଷେ ।।
ନବ କିଶଳୟ ପାଦପେ ସାଜେ ।
ଆମ୍ରକୁଞ୍ଜେ ପିକ ମଧୁରେ କୂଜେ ।।
ସରଳ ପଥରେ ଗମନ୍ତି ରବି ।
ପୁଲକିତ ଧରା ସୁନ୍ଦର ଛବି ।।
ଦିନ ବରଧନେ କୋକ ଦମ୍ପତ୍ତି ।
ହରଷିତ ହେଲେ ପାଇ ସମ୍ପତ୍ତି ।।
ଋତୁରାଜ ଆଗମନ ବାରତା ।
ଲଭି ଆନନ୍ଦିତ ହେଲେ ଜନତା ।।
ବାସନ୍ତିକ ଦୁର୍ଗାପୂଜା ଆସିଲା ।
ତିନିଦିନ ପୂଜା ଶେଷ ହୋଇଲା ।।
ଚାଚେରୀ ଲୀଳାର ଆରମ୍ଭ ହେଲା ।
ରାଧାମାଧବ ବିମାନ ଚଳିଲା ।।
ସଞ୍ଜ ନଇଁଗଲେ ଉଠେ ବିମାନ।
କାନ୍ଧେଇ ନିଅନ୍ତି ଭକତ ଜନ ।।
ଆମ୍ବ ଚଣା ଖଇ ଉଖୁଡା ଆଦି।
ଖୁସିଖଜା ସହ ସବୁ ସମ୍ପାଦି ।।
ଭୋଗ ଲଗାଇ ମୁଣ୍ଡେ ଫଗୁ ବୋଳି।
ଭକତେ ଆନନ୍ଦରେ କଳାକୋଳି ।।
ଭାଇଚାରାରେ ଏ ଦୋଳ ଯାତରା।
ଶେଷ ହୁଏ ଦୋଳ ହୋଲିରେ ସାରା ।।
ଋତୁରାଜ ଆଣେ ମନେ ହରଷ।
ବସନ୍ତ ଉତ୍ସବ ବଡ ସରସ ।।
