ରଥ
ରଥ
ରଥ କଥା ଯେବେ ମନେ ପଡିଯାଏ
ମନେ ପଡେ ରଥଯାତ୍ରା
ଜଗତର ନାଥ ପ୍ରଭୁ ଜଗନ୍ନାଥ
କରିଥାନ୍ତି ଘୋଷଯାତ୍ରା ।
ସଙ୍ଗତେ ଘେନିଣ ଭାଇ ଭଉଣୀଙ୍କୁ
ଭକତେ ଦର୍ଶନ ଦ୍ୟନ୍ତି
ରତ୍ନ ସିଂହାସନ ଶ୍ରୀମନ୍ଦିର ଛାଡି
ବଡ ଦାଣ୍ଡେ ବିଜେ ଥାନ୍ତି ।
ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ
ତିନି ଗୋଟି ରଥ ଥାଏ
ତିନି ଦିଅଁ ରଥ ରଙ୍ଗ ଭିନ୍ନଭିନ୍ନ
ମନ ପ୍ରାଣ ମୋହି ନିଏ ।
ବଳଭଦ୍ରଙ୍କର ତାଳଧ୍ୱଜ ରଥ
ନୀଳ ବର୍ଣ୍ଣ ହେଇଥାଏ
ଚଉଦଟି ଚକ ଥାଏଟି ସେଥିରେ
ମାତଳି ସାରଥି ହୁଏ ।
ବାର ଗୋଟି ଚକ ସୁଭଦ୍ରାଙ୍କ ରଥେ
ନାମ ତା ଦେବ ଦଳନ
ରଥର ସାରଥି ସାଜି ଥାନ୍ତି ତାଙ୍କ
ସ୍ୱାମୀ ପାଣ୍ଡବ ଅର୍ଜ୍ଜୁନ ।
ପ୍ରଭୁ ଜଗନ୍ନାଥ ରଥ ନନ୍ଦିଘୋଷ
ଷୋହଳ ଚକ ଯେ ଥାଏ
ଟାହିଆ ହଲେଇ କାଳିଆ ଆସଇ
ଭକ୍ତ ମନ କିଣି ନିଏ ।
ଝୁଲି ଝୁଲି ଜଗା ପହଣ୍ଡି କରିଣ
ଭକ୍ତଙ୍କୁ କଣେଇ ଚାହେଁ
ଅପଲକ ନେତ୍ରେ ତା ହୃଦୟ କଥା
ଭକ୍ତଙ୍କୁ ନୀରବେ କହେ ।
ଆଷାଢ ମାସର ଶୁକ୍ଳ ଦ୍ୱିତୀୟାରେ
ରଥଯାତ୍ରା ହେଇଯାଏ
କିଏ ଘୋଷଯାତ୍ରା କିଏ ପୁଣି ତାଙ୍କୁ
ଶ୍ରୀଗୁଣ୍ଡିଚା ଯାତ୍ରା କହେ ।
ନିମ୍ବର ବୃକ୍ଷରୁ ଗଢା ହୁଏ ରଥ
କେତେ କାରୁକାର୍ଯ୍ୟ ହୁଏ
ତିନି ଦିଅଁଙ୍କର ବିଗ୍ରହ ସେଥିରୁ
ନିର୍ମିତ ଯେ ହେଇଥାଏ ।
ରଥରେ ବସିଣ କାଳିଆ ଠାକୁର
ଭାଇ ଭଉଣୀଙ୍କୁ ଧରି
ମାଉସୀ ମାଆଙ୍କ ମନ୍ଦିରକୁ ସିଏ
ନବ ଯାତ୍ରା ଯାନ୍ତି କରି ।
ପୃଥିବୀ ପ୍ରସିଦ୍ଧ ଏ ରଥ ଯାତ୍ରାକୁ
ସାରା ବିଶ୍ଵ ଦେଖୁଥାଏ
ପ୍ରଭୁ ଜଗନ୍ନାଥ ଶ୍ରୀପଦ୍ମ ପୟରେ
ନିଜକୁ ସମର୍ପି ଦିଏ ।
ଓଡିଶାବାସୀଙ୍କ ହୃଦୟ ଦେବତା
ନୀଳାଚଳ ଧାମେ ଛନ୍ତି
ପତିତପାବନ ଫରଫର ଉଡେ
ଭକ୍ତଙ୍କୁ ସହାୟ ହ୍ୱନ୍ତି ।
ଜୀବନ ରଥ ମୋ ଚାଲୁଅଛି ପ୍ରଭୁ
ଝଡ ତୋଫାନ ବର୍ଷାରେ
କେବେ ଜଳି ସିଏ ପାଉଁଶ ହୋଇବ
ମଶାଣୀ ଜୁଈ ନିଆଁରେ ।
ଦଦରା ନାଆ ମୋ ଜୀବନ ରଥରେ
ତୁମେ ତ ନାଉରୀ ତାର
କାତ ଧରିଅଛ ପାରି କରୁଅଛ
ତୋ ପାଦେ ଆଶ୍ରୟ ମୋର ।