ରଙ୍ଗେଇ ନାନୀର ରଙ୍ଗ ଛାଡ଼ିଲା
ରଙ୍ଗେଇ ନାନୀର ରଙ୍ଗ ଛାଡ଼ିଲା
ଆମରି ଗାଆଁର ରଙ୍ଗେଇ ନାନୀ
ଚାଲି ଯାଉଥିଲା ଉଡ଼େଇ କାନି-
ଥରି ଉଠୁଥିଲା ଦାଣ୍ଡ,
ବାଟୁଳି ନ ଥିଲା ପାଟିରେ ତା'ର
ଶାଣଦିଆ କଥା ଖୁରଠୁଁ ଧାର
ଶୁଣି ଲୋକ ହେଲେ ରୁଣ୍ଡ ।
କୋଉ ରଇଜଳା ବାଡ଼ିରେ ପଶି
ଚୋରେଇ ନେଇଛି କାକୁଡ଼ି କଷି-
ପଡ଼ିଛି ତା' ରାହୁଦଶା,
ତା' ମୁଣ୍ଡରେ ରାଧା ଚଡ଼କ ପଡ଼ୁ
ତା' ସାତ ପୁରୁଷ ନରକେ ସଢୁ
ହଉ ସିଏ ଲୋକହସା ।
ନାନୀ ରୋଗ-ବ୍ୟାଧି ତା'ଠିକି ଯାଉ
ଯେତେ ବଡ଼ ରୋଗ ତା' ଠାରେ ହେଉ-
ଆଖି ତା'ର ଯାଉ ଫୁଟି,
ଦେଖି ସେ ନ ପାରୁ ଆଉ ଯେ କିଛି
ଚୋରି କରିବାଟା ତେଣିକି ଅଛି
ପାଉ ଉପଯୁକ୍ତ ଶାସ୍ତି ।
ନାନୀ କହୁଥିଲା ଆଖି ତରାଟି
ଦାନ୍ତକୁ ରଗଡ଼ି ହାତକୁ ଛାଟି-
ଗାଆଁ ଲୋକ ଶୁଣି କାବା,
ଏଡ଼େ ମନ୍ଦବୁଦ୍ଧି କିଏ କରିଲା
ସାପ ଲାଙ୍ଗୁଡ଼ରେ ହାତ ମାରିଲା
ଡାକିବାକୁ ହେବ ସଭା ।
ଏତିକି ବେଳକୁ ଶୁଭିଲା ଗୋଳ
ଗାଆଁ ସେ ମୁଣ୍ଡଟା ସାରା ଚହଳ-
ବୁଲା ଷଣ୍ଢ କିସ କଲା,
ଆମ ନାନୀଙ୍କର ଗଣ୍ଠିର ଧନ
ଏକୋଇର ବଳା ବିଶିକେଶନ
ମାଧିଆକୁ ଭୁଷିଦେଲା ।
ଖାଉଥିଲା ସିଏ କାକୁଡ଼ି ନେଇ
ଷଣ୍ଢ ଗୋଡ଼େଇଲା ଖାଇବା ପାଇଁ-
ନ ଦେଲାରୁ ଦେଲା ଭୁଷି,
ମାଧିଆ ପଡ଼ିଲା ଚେତା ହରାଇ
ଶୁଣି ଗାଆଁ ଲୋକ ଆସିଲେ ଧାଇଁ
ବୋହି ନେଲେ ମିଳିମିଶି ।
ଡାକତରଖାନା ଧରିକି ଗଲେ
ମାଧିଆର ଆଶୁ ଚିକିତ୍ସା କଲେ-
ହୋଇଗଲା ସିଏ ଭଲ,
ସେଇଦିନୁ ଆମ ରଙ୍ଗେଇନାନୀ
ଆଉ ଶାଣଦିଆ କଥା କହେନି
କଥାରୁ ତା' ଝରେ ଫୁଲ ।