ରକ୍ତ ଟକମକ ଉଷ୍ମ
ରକ୍ତ ଟକମକ ଉଷ୍ମ
ଜୀଅ ଯୁଗେ ଯୁଗେ ରାଜପୁତ ବୀର
ପୃଥୀରାଜ ଚଉହାନ
ଉଡୁ ବୈଜୟନ୍ତୀ ବିଜୟର ଜୈତ୍ର
ରଚୁୁଥାଅ କୀର୍ତ୍ତିମାନ ।
ଯାଉପଛେ ପ୍ରାଣ ରଖି ଟାଣ ପଣ
ନଇଁ ନାହଁ କେବେ ମଥା
ଅପୂର୍ବ ବୀରତ୍ବେ କରିଛ ସଂଗ୍ରାମ
ଦେଖାଇଛ ପରାକାଷ୍ଠା ।
ଅରାତି ତାଜିକ ଆଫଗାନ ତୁର୍କ
ହୋଇ ଶତ୍ରୁ ସମ୍ମିଳିତ
ବାର ବାର ବହୁ ସମ୍ମୁଖ ସମରେ
କରିଥିଲ ପରାହତ ।
ବତାଇଲେ ଭେଦ ଆପଣାର ଲୋକ
ଗୃହଶତ୍ରୁ ବିଭୀଷଣ
ଅନ୍ଯାୟ ଯୁଦ୍ଧରେ ରାସୋ ପୃଥୀରାଜ
ହେଲ ବନ୍ଦୀ ପରାଧୀନ ।
ଦଖଲ କରିଲେ ଅଜୟମେରୁକୁ
ତରାଇନ ଶେଷ ଯୁଦ୍ଧେ
କାରା କୋଠରୀରେ ତାଢିନେଲେ ଆଖି
ବିନ୍ଧିଥିଲ ଶର ଶବ୍ଦେ ।
ଦୁର୍ଦ୍ଦଶ ଶାସକ ଗଜନୀ ନବାବ
ନାମ ମହମ୍ମଦ ଘୋରୀ
ହେ ରାୟ ପିଥୋରା ସର୍ବ ସମ୍ମୁଖରେ
ଦର୍ପେ ଥିଲ ବଧ କରି ।
ଆତ୍ମୀୟ ସ୍ବବନ୍ଧୁ ଚନ୍ଦ ବରଦାଇ
ହସ୍ତରେ ଜୀବନ ଦେଇ
କରିଥିଲ ହତ୍ଯା କବିଙ୍କୁ ତତ୍କାଳ
ରହିଲ ଅଜେୟ ହୋଇ ।
ସ୍ବର୍ଣିମ ଅକ୍ଷରେ ଲିପିବଦ୍ଧ ଗାଥା
ବୀରତ୍ବ ଅପରିସୀମ
ସ୍ମରିଲା ମାତ୍ରକେ ନାମ ପୃଥୀରାଜ
ରକ୍ତ ଟକମକ ଉଷ୍ମ ।