ରକ୍ଷା ସୂତ୍ର
ରକ୍ଷା ସୂତ୍ର


ଜୀବନ ଜଞ୍ଜାଳ, ଅଥଳ, ଅକଳ
କଳି ହୁଏ ନାହିଁ, କାର୍ଯ୍ୟ ସାରଣୀ,
ଉଷା ରୁ ପ୍ରତ୍ୟୁଷ ନାହିଁ ଫୁରୁସତ
ପୁଣି ଯୋଡ଼ି ଯାଏ କାର୍ଯ୍ୟ କାରିଣୀ ।
ଦୁଇ ପରିବାର କେହି ନୁହଁ ପର
ବୁଝୁଛି ସତେକି ଚଞ୍ଚଳା ରାଣୀ,
କୃପା, କର୍ତ୍ତବ୍ୟରେ, ତ୍ୟାଗ, ତୁଳନାରେ
ସମ୍ପାଦନ କରୁ ସାଜି ଶିବାନୀ ।
ସନ୍ତାନ ସୁହାଗ ସ୍ବାମୀ ସହଯୋଗ
ତଥାପି ନ ଭୁଲୁ ଶାଶୂଙ୍କ ବାଣୀ,
ସାଜି ସର୍ବଗୁଣା ସମ୍ପୂର୍ଣ୍ଣା ଶାଳିନୀ
ମନକୁ ମୋହାଉ ମନ ମୋହିନୀ ।
ତୋ ତ୍ୟାଗ, ଦକ୍ଷତା ଦେଖିଲେ ସତରେ
ନଇଁ ଯାଏ ମଥା ଆପେ ଭଉଣୀ,
ପ୍ରତି ଜନମରେ ହୁଏ ମୁଁ ତୋ ଭାଇ
ରକ୍ଷା ସୂତ୍ର ଲେଖୁ ଟିକି କାହାଣୀ ।
ମାଆ ଙ୍କୁ ମାଗୁଛି ତୋ ସର୍ବ କୁଶଳ
ପରିବାର ରଖୁ ଘଣ୍ଟ ଛାଉଣି,
ମାଆ ର ଆଶିଷେ ହୁଅ ତୁ ବିଜୟା
ଚିର ହସୁ ତୋ'ର ପଣତ କାନି.......ବିଜୟ ।