ରଖିବ ଦେଉଳ ଧ୍ୟାନ
ରଖିବ ଦେଉଳ ଧ୍ୟାନ
ଯାତକୁ ଠାକୁରେ ନେଲେନାହିଁ ବୋଲି
ମାଆ ଗୋ ବହିଛ ରୋଷ,
ହେରାପଞ୍ଚମୀରେ ଲୁଚି ଆସି ତେଣୁ
ଭାଙ୍ଗିଦେଲ ନନ୍ଦିଘୋଷ ।
ତୁମେ ତ ଜାଣିଛ ଦେଉଳକୁ ଆସି
ପ୍ରଭୁଙ୍କୁ ମିଳନ୍ତି ଭକ୍ତ,
ଜଣାନ୍ତି ଆପଣା ଦୁଃଖ ସୁଖ ସବୁ
ଗାଇ-ଜୟ ଜଗନ୍ନାଥ ।
ତୁମେ ବାଣ୍ଟ ସାରା ଜଗତକୁ ପଡ଼ି
ନିତି ଘର-ଦ୍ୱାର ବୁଲି,
କାଳିଆ ସାଆନ୍ତେ ରହି ଏ ମନ୍ଦିରେ
ହାଲିଆ ହୁଅନ୍ତି ଖାଲି ।
ଭାଇ ଭଉଣୀଏଁ ବିଚାର କରିଲେ
ଗୁଣ୍ଡିଚା ଯାତରେ ଯିବେ,
ବଡ଼ ଦେଉଳର ଯେତେକ ଦାୟିତ୍ବ
ଭରସି କାହାକୁ ଦେବେ ।
ତୁମ ପରେ ତାଙ୍କ ଅଗାଧ ବିଶ୍ବାସ
ତେଣୁ ଏଇ କଥା ଭାବି,
ନିଶ୍ଚିନ୍ତରେ ସବୁ ଭଣ୍ଡାର ଘରର
ଧରାଇ ଅଛନ୍ତି ଚାବି ।
ଦୁନିଆବାସୀଙ୍କ ଦୁଃଖ ବୁଝିବାକୁ
ଦେଉଳୁ ଅଛନ୍ତି ଆସି,
ଜନମ ବେଦୀରେ ନଅ ଦିନ ରହି
ହୋଇବେ ଟିକିଏ ଖୁସି ।
ଅଭିମାନ କରି ରଥ ଭାଙ୍ଗିଦେଲ
କେମିତି ଫେରିବେ ପ୍ରଭୁ,
ଏଇ କଥା ସିନା ଭଲକରି ଟିକେ
ଚିନ୍ତା କରିଥା'ନ୍ତ ଆଗୁଁ ।
ଯା' ହେବାର ଥିଲା ହୋଇ ତ ଗଲାଣି
ରଖିବ ଦେଉଳ ଧ୍ୟାନ,
ଗଲାଦିନ ପ୍ରଭୁ ରସଗୋଲା ଖୋଇ
ତୁଟାଇବେ ତୁମ ମାନ ।