ରଜରେ ପ୍ରୋଷିତଭର୍ତ୍ତୃକା
ରଜରେ ପ୍ରୋଷିତଭର୍ତ୍ତୃକା
ଆନନ୍ଦଘନ ରଜର ପ୍ରଭାତେ,
ବଉଦର ବ୍ୟସ୍ତତା,
ନବ ପରିଣୀତା ପଲ୍ଲୀବଧୂର,
ମରମେ ବିରହ ବ୍ଯଥା।
ଫେରି ନାହିଁ ତାର ପ୍ରିୟଜନ ଆଜି,
ବନ୍ଦୀ ସେ ବହୁଦୂରେ
ଜୀବନ ଜୀବିକା ଭାରି ନିଷ୍ଠୁର,
ବନ୍ଧା କରମର ଡୋରେ।
ତିନି ଦିନି ଯାକ ବସୁମାତା ଆମ,
ରହିବେ ରଜସ୍ୱଳା
ପତିଙ୍କ ଲାଗି ମନୋବେଦନାରେ,
ଶ୍ରୀମତି ଚନ୍ଦ୍ରକଳା।
ଅଗଣାରେ ବସି ଅମ୍ବର ଆଡେ,
ଦେଖେ ଉଦାସୀନ ଚିତ୍ତେ
ବିଭାବରୀ ସମ ଘନଘଟା ମେଘେ,
ନୀରବେ ସଜଳ ନେତ୍ରେ।
କର୍ଣ୍ଣେ ତାହାର ବାଜୁନାହିଁ ଆଉ,
ମନୋଲୋଭା ରଜଗୀତ
ଅନ୍ତରେ ଖାଲି ବେସୁରା ରାଗିନୀ
ଝଣଝଣ ଅବିରତ।
ବିରସ ବଦନେ ସଦା ଆନମନା,
ଆଳୁବାଳୁ କେଶରାଶି
ରାଗରେ କରିନି ଅଙ୍ଗରାଗ ସେ,
ଓଡଣୀ ପଡଇ ଖସି।
ଅନନ୍ୟ ତାର ରୂପଲାବଣ୍ଯେ,
ବିଷାଦର କଳା ଛାୟା
ପ୍ରିୟତମ ଲାଗି ସକରୁଣ ଆଖି,
କାନ୍ଦେ ତା ଶୁନ୍ୟ ହିଆ।
ଶୁଭେ କୋଳାହଳ ପଡ଼େ ମେଘଫୁଲ,
ଆଷାଢ଼ ଗଗନୁ ଝରି
ସ୍ନିଗ୍ଧ ଶୀତଳ ବରଷାରେ ତାର,
ଅଙ୍ଗ ଯେ ଯାଏ ଜଳି।
ମନେ ପଡ଼େ ସେଇ କୁମାରୀ ବେଳର,
ସୁଖମୟ ସ୍ମୃତି କଥା
ରଜ ପାର୍ବଣେ ଖୁସିର ଲହରୀ,
ହୃଦୟରେ ତାର ଗୁନ୍ଥା।
ଆମ୍ରର ଡାଳେ ଦୋଳନାର କୋଳେ,
କୁଆଡ଼କୁ ଯାଏ ହଜି
ନବାଙ୍ଗୀ ଦେହେ ନବ ପରିଧାନ,
ବରଷାରେ ଭିଜି ଭିଜି।
ରଜ ତାମ୍ବୁଲେ ଓଠ ଦ୍ବୟ ରଙ୍ଗା,
ନିକଟେ ଯୁବକ ବୃନ୍ଦ
ସଖୀ ଦଳ ସାଥେ ପଲ୍ଲୀର ପଥେ,
କଣ୍ଠେ ଗୀତର ଛନ୍ଦ।
ଭରା ଗ୍ରୀଷ୍ମରେ ତପ୍ତ ତପନ,
ନିଦାରୁଣ ଖରା ସହି
ରଜରେ କାଦମ୍ବିନୀର ସୁହାଗ,
ସ୍ମରଣରେ ଆଜି ଯାଏଁ।
ସେଦିନର ସେହି ରଜକନ୍ୟାଟି
ସଂସାର ତରଣୀରେ
ପ୍ରାଣପ୍ରିୟ ତାର ଦୂରେ ବହୁଦୂରେ,
ଭସାଇ ଅଶ୍ରୁନୀରେ।।
ଅରୁଣ କୁମାର ମିତ୍ର,
ମୋ ବଣ ମଲ୍ଲୀର କଲି ଗ୍ରନ୍ଥରୁ